ବରଗଡ଼,ଏନ୍ଏନ୍ଏସ୍ : ବରଗଡ଼ ପୁଲିସ ଏକ ବଡ଼ ଧରଣର ଗାଡ଼ି ଚୋରୀ ରାକେଟର ପର୍ଦ୍ଦାଫାସ କରିବାରେ ସକ୍ଷମ ହୋଇଛି । ଏହି ମାମଲାରେ ପୁଲିସ ୫ଜଣ ଯୁବକଙ୍କୁ ଗିରଫ କରିଥିବାବେଳେ ସେମାନଙ୍କଠାରୁ ୪ଟି ଚାରିଚକିଆ ଗାଡ଼ି,୨ଟି ମୋଟର ସାଇକେଲ, ୧୮ଟି ମୋବାଇଲ, ଗୋଟିଏ ସୁନା ଚେନ, ନଗଦ ୪ ହଜାର ଟଙ୍କା ଓ ଦୁଇଟି ଛୁରୀ ଜବତ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ବରଗଡ଼ ଡ୍ୟାମ୍ପ କଲୋନୀର ମଗଶୀର ମହାନନ୍ଦ, ରାଜା ହାତୀ, ପ୍ରଧାନପାଲିର କିଶୋର ମେହେର, ରୋହିତ ମେହେର ଏବଂ ପାଣିଛତରର ବିଜେ ବାଗ ରହିଛନ୍ତି। ସେହିପରି ଗାଡ଼ିଚୋରୀ ଘଟଣାରେ ଜନୈକ ତଥାକଥିତ ସାମ୍ବାଦିଙ୍କ ସଂପୃକ୍ତି ଏବଂ ଭାଇରାଲ ହୋଇଥିବା କଲ ରେକର୍ଡିଂକୁ ନେଇ ପୁଲିସ ତଦନ୍ତ ଜାରି ରଖିଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ବରଗଡ଼ ଏସପି ପଦ୍ମିନୀ ସାହୁ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଗତ କିଛିଦିନ ମଧ୍ୟରେ ବରଗଡ଼ ସହର ଏବଂ ଆଖପାଖ ଅଚଂଳରେ ଚୋରୀ ଡକାୟତି ବୃଦ୍ଧି ପାଇଥିଲା। ଦିନ ଦ୍ୱିପ୍ରହରରେ ମହିଳାଙ୍କ ଗଳାରୁ ସୁନା ଚେନ ଲୁଟ ସହ ଗାଡ଼ି ଚୋରୀ ତଥା ଲୁଟପାଟ ଘଟଣା ପୁଲିସର ନିଦ ହଜାଇ ଦେଇଥିଲା। ଏହି କ୍ରମରେ ବରଗଡ଼ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ଏଥିସହିତ ଟାଉନ ଥାନାର ୮ଟି ମାମଲା ସହ ବୁର୍ଲା ଥାନାର ୨ଟି ଏବଂ ଅତାବିରା ଥାନା ଅଚଂଳର ଗୋଟିଏ କେସର ପର୍ଦ୍ଦାଫାସ ହୋଇପାରିଥିବା ନେଇ ପୁଲିସ ସୂଚନା ଦେଇଛି। ଅନ୍ୟପଟେ ଗତ ୧୦ ତାରିଖରେ ପ୍ରମୋଦ ମହାନ୍ତିଙ୍କ ଚୋରୀ ହୋଇଥିବା କ୍ରୁଜର ଗାଡ଼ି ଏବଂ ଗାଡ଼ିର ଠିକଣା କହିବା ପାଇଁ ରାଜ ଶର୍ମା ନାମକ ତଥାକଥିତ ସାମ୍ବାଦିକ ୫୦ ହଜାର ଟଙ୍କା ଡିମାଣ୍ଡ କରିବା ନେଇ ଅଭିଯୋଗ ହୋଇଥିଲା। ଏହାର ଫୋନ କଲ ରେକର୍ଡିଂ ସୋସିଆଲ ମିଡିଆରେ ଘୁରି ବୁଲୁଥିବାବେଳେ ପୁଲିସ ଉକ୍ତ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିବା ବରଗଡ଼ ଏସପି ପଦ୍ମନୀ ସାହୁ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଟାଉନ ଥାନା ଅଧିକାରୀ ସଦାନନ୍ଦ ପୂଜାହାରୀ ଉପସ୍ଥିତ ଥିଲେ।