ଗାଡ଼ି ପାଟଣାରେ, ଚାଲାଣ କଟୁଛି ରାଜଧାନୀରେ

ପାଟଣା,ଏନ୍ଏନ୍ଏସ୍: ରାଜ୍ୟ ସରକାର ମୋଟରଯାନ ଆଇନ ଲାଗୁ କରିବା ପରେ ରାଜ୍ୟ ପରିବହନ ବିଭାଗ ଓ ପୁଲିସ ପକ୍ଷରୁ ବିଭିନ୍ନ ଜାଗାରେ ହେଲମେଟ ଓ ଦ୍ରୁତ ଗତିରେ ଗାଡ଼ି ଚାଳନା ଉପରେ ରୋକ ଲଗାଇ ଚାଲାଣ ମାଧ୍ୟମରେ ଜୋରିମାନା ଆଦାୟ କରାଯାଉଛି। କିନ୍ତୁ ପାଟଣା ଅଞ୍ଚଳରେ ଏକ କାରର ଇ-ଚାଲାଣକୁ ନେଇ ଏବେ ପ୍ରଶ୍ନ ଉଠିଛି। ଓଡି୦୨ଏକ୍ସ୫୦୮୨ ନମ୍ବର ବିଶିଷ୍ଟ ଏକ କାରଟି ପାଟଣାର ହୋଇଥିବାବେଳେ ଗତକାଲି ସଂଧ୍ୟା ସମୟରେ ଭୁବନେଶ୍ୱରରେ ଦ୍ରୁତ ଚାଳନା ପାଇଁ ୭ ହଜାର ଟଙ୍କା ଜୋରିମାନା ଚାଲାଣ ମାଧ୍ୟମରେ ଆସିଛି । ବିନା ଲାଇସେନ୍ସରେ ଗାଡ଼ି ଚଲାଇବା ପାଇଁ ୨ହଜାର ଏବଂ ଦ୍ରୁତ ଗତି ଲାଗି ୫ ହଜାର ଟଙ୍କା ଆସିଥିବା ଅଭିଯୋଗ ହୋଇଛି। ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଲକ୍ଷଣ କୁମାର ମହାନ୍ତ ଏନେଇ ଅଭିଯୋଗ ଆଣିଛନ୍ତି। ଡା. ଲକ୍ଷ୍ମଣ ନିଜ କାକାଙ୍କ ଗାଡ଼ିକୁ ବ୍ୟବହାର କରୁଥିବାବେଳେ ଗତକାଲି ସନ୍ଧ୍ୟାରେ ତାଙ୍କ ଗାଡ଼ି ମେଡିକାଲ କ୍ୱାର୍ଟରରେ ଥିବା ସମୟରେ ମୋବାଇଲକୁ ୭ ହଜାର ଟଙ୍କାର ଜୋରିମାନା ଆସିଥିଲା। କିନ୍ତୁ ଡାକ୍ତରଙ୍କ ଗାଡ଼ି ଭୁବନେଶ୍ୱର ଯାଇନଥିବା ବେଳେ କିପରି ଭୁବନେଶ୍ୱର ଆରଟିଓ( ୨) ଏପରି ଫାଇନ କାଟିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପଟେ ଡାକ୍ତରଙ୍କ ଗାଡ଼ି ନମ୍ବରକୁ କେହି ବ୍ୟବହାର କରି ଭୁବନେଶ୍ୱରରେ ଚଲାଉଥିବା ଡାକ୍ତର ଅଭିଯୋଗ ଆଣିଛନ୍ତି। ଏଥିସହିତ ସେ ମେଲ ଓ ଟ୍ୱିଟର ମାଧ୍ୟମରେ ପରିବହନ ବିଭାଗକୁ ଜଣାଇଛନ୍ତି।