ପୋଲ ତଳକୁ ଖସିଲା କାର: ୫ ଆହତ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ ପାଙ୍ଗାମ ନଦୀ ପୋଲ ତଳକୁ ଆଜି ପୂର୍ବାହ୍ନରେ ଏକ କାର ଖସି ପଡ଼ିଛି। ଫଳରେ ୫ଜଣ ଆହତ ହୋଇଥିବା ଜଣାପଡ଼ିଛି। କାରରେ ଡ୍ରାଇଭରଙ୍କ ବ୍ୟତୀତ ମଧୁସୂଦନ ଶତପଥୀ, ତାଙ୍କ ପତ୍ନୀ ବନଜିନି ଦେବୀ, ଝିଅ ଶ୍ରୀୟାଂସୀ ଶତପଥୀ ଓ ପୁଅ ଶିବାନିଶି ଶତପଥୀ ଥିଲେ। ମିଳିଥିବା ରିପୋର୍ଟ ମୁତାବକ, ଏକ କାର ଯୋଗେ ୫ଜଣ ଭୁବନେଶ୍ୱରରୁ ମାଲକାନଗିରି ଆସୁଥଲେ। ଏହି ସମୟରେ ଡ୍ରାଇଭରର ଆଖି ଲାଗିଯିବାରୁ ଭାରସାମ୍ୟ ହରାଇ କାରଟି ପୋଲ ତଳକୁ ଖସି ପଡ଼ିଥିଲା। ପରେ ନଦୀରେ କାରଟି ଭାସୁଥିବା ଦେଖି ସ୍ଥାନୀୟ ଗ୍ରାମବାସୀ ସମସ୍ତଙ୍କୁ ଉଦ୍ଧାର କରିଥିଲେ। ଏଥିସହିତ ସମସ୍ତଙ୍କୁ ତୁରନ୍ତ ମାଥିଲିସ୍ଥିତ ଉପଖଣ୍ଡୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ଛଡ଼ାଯାଇଥିବାବେଳେ ମାଥିଲି ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।