କାର ଚାଳକଙ୍କ ପାଇଁ ମାସ୍କ୍ ବାଧ୍ୟତାମୂଳକ

ନୂଆଦିଲ୍ଲୀ, ଏଜେନ୍ସି: କୋଭିଡ୍ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀରେ କାର୍ଚାଳକଙ୍କ ପାଇଁ ମାସ୍କ୍ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ବ୍ୟକ୍ତିଗତ କାର୍ ଚଳାଇ ଏକାକି ଯାଉଥିଲେ ସୁଦ୍ଧା ଚାଳକ ମାସ୍କ୍ ପିନ୍ଧିବା ଜରୁରୀ ବୋଲି କୁହାଯାଇଛି। ଏହି ନିଷ୍ପତ୍ତିକୁ ବିରୋଧକରି ଦିଲ୍ଲୀ ହାଇକୋର୍ଟରେ ଏକାଧିକ ପିଟିସନ ଦାଏର କରାଯାଇଥିଲା। ତେବେ ଜଷ୍ଟିସ ପ୍ରତିଭା ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ବୁଧବାର ଏହାର ଶୁଣାଣି କରି କହିଛନ୍ତି ଯେ ବ୍ୟକ୍ତିଗତ କାର୍ ମଧ୍ୟ ସାର୍ବଜନୀନ ସ୍ଥାନଭାବେ ବିବେଚିତ ହେଉଛି। ତେଣୁ କାର୍ଚାଳକ ଡ୍ରାଇଭିଂ କରିବା ସମୟରେ ମାସ୍କ୍ ପିନ୍ଧିବା ନିହାତି ଜରୁରୀ। ଏହା ସୁରକ୍ଷା କବଚଭାବେ କୋଭିଡ୍ ସଂକ୍ରମଣରୁ ରକ୍ଷା କରିବ। ଶୁଣାଣି ସମୟରେ ବିଚାରପତି ମାମଲା ଲଢୁଥିବା ଓକିଲଙ୍କୁ ଭର୍ତ୍ସନା କରିଥିଲେ। ଡାକ୍ତର, ବିଶେଷଜ୍ଞମାନେ ମାସ୍କ୍ ପିନ୍ଧିବା ଉପରେ ଯଥେଷ୍ଟ ଗୁରୁତ୍ୱ ଦେଉଥିବାବେଳେ ଏଭଳି ମାମଲାରେ ଯୁକ୍ତି କରିବା ମୂର୍ଖାମି ବୋଲି ବିଚାରପତି ସଂପୃକ୍ତ ଓକିଲଙ୍କୁ କହିଛନ୍ତି। କିଛି ଦିନ ପୂର୍ବେ ସୌରଭ ଶର୍ମା ନାମକ ଜଣେ ବ୍ୟକ୍ତି କାର୍ ଡ୍ରାଇଭ କରୁଥିବାବେଳେ ମାସ୍କ୍ ପିନ୍ଧିନଥିଲେ। ପୁଲିସ ତାଙ୍କୁ ଅଟକାଇ ୫୦୦ ଟଙ୍କାର ଚାଲାଣ କାଟିଥିଲା। ସୌରଭ ଏହାର ପ୍ରତିବାଦରେ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରି ହାଇକୋର୍ଟରେ ଏକ ପିଟିସନ ଦାଏର କରିଥିଲେ।