ସୀମାନ୍ତରେ ବୁଡ଼ିଲା କାର : ୨ମୃତ

ପାରଳାଖେମୁଣ୍ଡି,ଏନ୍ଏନ୍ଏସ୍ : ପାରଳାଖେମୁଣ୍ଡି ସହର ସୀମାନ୍ତ ଆନ୍ଧ୍ର ପ୍ରଦେଶର ହିରମଣ୍ଡଳ ଗ୍ରାମ ନିକଟସ୍ଥ ଗୋଟା ବ୍ୟାରେଜ ନିକଟରେ କୌଣସି କାରଣରୁ ଗାଡିଟି ଭାରସାମ୍ୟ ହରାଇ ବ୍ୟାରେଜ ନିକଟରେ ପାଣି ଭିତରକୁ ଖସିପଡ଼ିଥିଲା। ଫଳରେ ଗାଡ଼ିରେ ବସିଥିବା ୫ଜଣ ଯାତ୍ରୀଙ୍କ ମଧ୍ୟରୁ ଦୁଇଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଆଉ ୩ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତକମାନେ ହେଲେ କାକିନାଡ଼ା ଅଞ୍ଚଳର ଏନ୍.ଭି.ଏସ୍. ପବନ(୩୨) ଓ ଖମାମ ଅଞ୍ଚଳର ବି.ଚନ୍ଦ୍ରା (୪୫) ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ, ପାଞ୍ଚଜଣ କାକିନାଡାରୁ ଆସି ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟକୁ ପ୍ରଥମେ ଆସିଥିଲେ ଏବଂ ସେମାନେ ସେଠାରୁ ପାରଳାଖେମୁଣ୍ଡି ଯାଇ ସେଠାରେ ଏକ ବିବାହ କାର୍ଯ୍ୟରେ ଯୋଗଦେଇଥିଲେ। ବିବାହ କାର୍ଯ୍ୟରୁ କାକିନାଡା ଫେରୁଥିବାବେଳେ ବିଳମ୍ବିତ ରାତିରେ କୌଣସି କାରଣରୁ ଭାରସାମ୍ୟ ହରାଇ ଏପରି ଦୁର୍ଘଟଣା ଘଟିଥିଲା।