ଚାମ୍ପିଅନ୍ କ୍ୟାପ୍ଟେନ ନଟରାଜଙ୍କ ଅବସର

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶାର ପ୍ରତିଭାବାନ କ୍ରିକେଟ ଖେଳାଳି ତଥା ଚାମ୍ପିଅନ୍ ଅଧିନାୟକ ନଟରାଜ ବେହେରା ସମସ୍ତ ପ୍ରକାର କ୍ରିକେଟରୁ ଅବସର ଗ୍ରହଣ କରିଛନ୍ତି। ସେ ଏ ସମ୍ପର୍କରେ ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ)କୁ ଲିଖିତଭାବେ ଜଣାଇଦେଇଛନ୍ତି। ଭିନ୍ନ ଭିନ୍ନ କାରଣରୁ ଗତ ଦୁଇ ସିଜନ ହେଲା ଦଳରେ ସ୍ଥାନ ପାଇ ନଥିବା ଏହି ଓପନର ଅବସର ପରେ ଅଭିଜ୍ଞତାକୁ ପାଥେୟ କରି ଓଡ଼ିଶା କ୍ରିକେଟର ଉନ୍ନତିରେ ନିଜକୁ ବିନିଯୋଗ କରିବାକୁ ଆଶାୟୀ ଅଛନ୍ତି। ଜାତୀୟ କ୍ରିକେଟରେ ଜଣେ ପୋଖତ ଖେଳାଳି ଭାବେ ନଟରାଜ ବେଶ୍ ଅଭିଜ୍ଞ। ସୁଯୋଗ ମିଳିଲେ ସେ ଏହାକୁ ଓଡ଼ିଶା ଖେଳାଳିଙ୍କ ମଧ୍ୟରେ ବାଣ୍ଟିବାକୁ ଆଦୌ ପଛଘୁଞ୍ଚା ଦେବେ ନାହିଁ ବୋଲି ନଟରାଜ କହିଛନ୍ତି।

ମାତ୍ର ୩୨ ବର୍ଷରେ ଅବସର ନେବାକୁ ଘୋଷଣା କରିଥିବା ଏହି ପ୍ରତିଭାବାନ କ୍ରିକେଟର କ୍ୟାରିୟରରେ ୫୪ଟି ପ୍ରଥମଶ୍ରେଣୀ, ୩୭ଟି ଲିଷ୍ଟ-ଏ ଓ ୧୬ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି। ଏହା ସହ ସେ ଅନେକ ପ୍ରଥମ ଓଡ଼ିଆ ଭାବେ ନିଜକୁ ପ୍ରତିଷ୍ଠିତ କରିଛନ୍ତି। ଅଣ୍ଡର-୨୨ କ୍ରିକେଟ ରେ ସେ ପ୍ରଥମ ଓଡ଼ିଆ ଭାବେ ବିସିସିଆଇ ବେଷ୍ଟ କ୍ରିକେଟର ଆୱାର୍ଡ ପାଇଥିଲେ।

ସେହିପରି ସେ ମଧ୍ୟ ପ୍ରଥମ ଓଡ଼ିଆ ତଥା ପୂର୍ବାଞ୍ଚଳର ପ୍ରଥମ ଅଧିନାୟକ ଭାବେ ଦୁଇ ଦୁଇଥର ଦୁଲୀପ ଟ୍ରଫି ଚାମ୍ପିଅନ୍ ହେବାର ବିରଳ ଗୌରବ ଲାଭ କରିଥିଲେ। ଏହି ଦୁଇଟି ସଫଳତା ତାଙ୍କ କ୍ରିକେଟ ଜୀବନର ସ୍ମରଣୀୟ ହୋଇଥିଲାବେଳେ ୪ ସିଜନ ଧରି ଓଡ଼ିଶା କ୍ରିକେଟ ଦଳର ଅଧିନାୟକ, ରେଷ୍ଟ ଅଫ୍ ଇଣ୍ଡିଆ ପକ୍ଷରୁ ପ୍ରତିନିଧିତ୍ୱ କରିବା ଏବଂ କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ଆଇପିଏଲ ଲାଗି ମନୋନୀତ ହେବା ତାଙ୍କ ଉଜ୍ଜ୍ୱଳ କ୍ରିକେଟ କ୍ୟାରିୟରର ଗୋଟିଏ ଗୋଟିଏ ମାଇଲଖୁଣ୍ଟ। କିନ୍ତୁ କେବଳ ଉପଯୁକ୍ତ ପ୍ରତିଭା ଜଣେ ଖେଳାଳିଙ୍କୁ ଶ୍ରେଷ୍ଠତ୍ୱ ପ୍ରଦାନ କରେନାହିଁ। ତାହାକୁ ଯଦି ବିନିଯୋଗ କରାଯାଇ ନପାରିଲା ତେବେ ଏହାର ସଦୁପଯୋଗ ହୋଇପାରେ ନାହିଁ। ନଟରାଜଙ୍କ କ୍ୟାରିୟରରେ ଏପରି କେତେକ ଘଟଣା ତାଙ୍କୁ ପ୍ରତିଭା ପ୍ରଦର୍ଶନର ଉପଯୁକ୍ତ ସୁଯୋଗ ଦେଇପାରି ନଥିଲା।

ପ୍ରଥମଶ୍ରେଣୀ କ୍ରିକେଟରେ ସେ ୫୪ଟି ମ୍ୟାଚ୍ ଖେଳିଥିଲାବେଳେ ଏହା ମଧ୍ୟରୁ ଓଡ଼ିଶା ଲାଗି ୪୬ଟି ରଣଜୀ ମ୍ୟାଚ୍ ରେ ପ୍ରତିନିଧିତ୍ୱ କରିଛନ୍ତି। ୨୦୦୮-୦୯ ସିଜନରେ ଭୁବନେଶ୍ୱର ରେଲୱେ ଷ୍ଟାଡିୟମରୁ ରଣଜୀ ଜୀବନ ଆରମ୍ଭ କରିଥିବା ଏହି ଓପନିଂ ବ୍ୟାଟ୍ସମ୍ୟାନ୍ ୩୫.୧୪ ହାରରେ ୭ଟି ଶତକ ଏବଂ ୧୦ଟି ଅର୍ଦ୍ଧଶତକ ସହ ୨,୬୩୬ ରନ୍ କରିଛନ୍ତି। ରୋହତକର ଲାହଲିରେ ଅନୁଷ୍ଠିତ ହରିଆଣା ବିପକ୍ଷ ମ୍ୟାଚ୍ରେ ସେ ଅପରାଜିତ ୨୫୫ ରନ୍ କରି କ୍ୟାରିୟରର ସର୍ବାଧିକ ସ୍କୋର କରିଥିଲେ। ଇଷ୍ଟଜୋନ୍ ପକ୍ଷରୁ ୮ଟି ମ୍ୟାଚ୍ ଖେଳି ଗୋଟିଏ ଶତକ ସହ ୩୯୫ ରନ୍ କରିଥିଲେ।

ଏହା ବ୍ୟତୀତ ସେ ଲିଷ୍ଟ-ଏ’ରେ ୩୭ ମ୍ୟାଚରୁ ୯୬୭ ଓ ୧୬ଟି ଟି-୨୦ ମ୍ୟାଚରେ ୨୬୧ ରନ୍ କରିଛନ୍ତି। ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ କାର୍ଯ୍ୟରତ ନଟରାଜ ମା’ ଚିତ୍ରାଙ୍କୁ ଆଦର୍ଶ ଭାବେ ମାନୁଥିଲାବେଳେ ବଡ ଭାଇ ପାପୁନ ବେହେରାଙ୍କ ମିଶି ସେକ୍ଟର-୫ରେ ରହୁଛନ୍ତି। ୨୦୧୭ ନଭେମ୍ବର ୨୫ରୁ ୨୮ ଯାଏ ଇନ୍ଦୋରରେ ଅନୁଷ୍ଠିତ ରଣଜୀ ମ୍ୟାଚ୍ ଓଡ଼ିଶା ଲାଗି ଥିଲା ତାଙ୍କ କ୍ୟାରିୟରର ଶେଷ ମ୍ୟାଚ୍।