ନୂଆଦିଲ୍ଲୀ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ୨ ଦିନିଆ ଦିଲ୍ଲୀ ଗସ୍ତ ଶେଷ କରି ଆଜି ଚଣ୍ଡୀଗଡ଼ ଫେରି ଯାଇଛନ୍ତି। ଏହି ସମୟରେ ସେ ବିଜେପିରେ ଯୋଗ ଦେବେନି କିନ୍ତୁ କଂଗ୍ରେସ ଛାଡ଼ିବେ ବୋଲି ସ୍ପଷ୍ଟ କରି ଦେଇଛନ୍ତି। ଏମିତିରେ ଅମରିନ୍ଦର ଭିନ୍ନ ଏକ ପାର୍ଟି ଗଠନ କରିବେ ବୋଲି ଅନୁମାନ କରାଯାଉଛି।
ଚଣ୍ଡୀଗଡ଼ ପହଂଚିବା ପରେ ଅମରିନ୍ଦର ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ନଭଜୋତ ସିଂହ ସିଦ୍ଧୁଙ୍କୁ ଟାର୍ଗେଟ କରିଛନ୍ତି। ଅମରିନ୍ଦର କହିଛନ୍ତି ଯେ, ଆଗାମୀ ବିଧାନସଭା ନିର୍ବାଚନରେ ସିଦ୍ଧୁ ଯେଉଁଠୁ ବି ଲଢ଼ୁ ମୁଁ ତାକୁ ଜିତିବାକୁ ଦେବିନି। ସିଦ୍ଧୁ ପଞ୍ଜାବ ପାଇଁ ଠିକ୍ ନୁହେଁ। ସିଦ୍ଧୁଙ୍କ କାମ ହେଉଛି ପାର୍ଟି ଚଲାଇବା। ଆଉ ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂହ ଚନ୍ନୀଙ୍କ କାମ ହେଉଛି ସରକାର ଚଲାଇବା। ସରକାର ଚଳାଇବାରେ କେହି ବି ଦଖଲ କରିବା ଠିକ୍ ନୁହେଁ। ମୋର ସଢ଼େ ୯ ବର୍ଷ କାର୍ଯ୍ୟକାଳ ମଧ୍ୟରେ ଅନେକ ଅଧ୍ୟକ୍ଷ ରହିଛନ୍ତି କିନ୍ତୁ ସିଦ୍ଧୁ ଯେଉଁ ସ୍ଥିତି ଦର୍ଶାଉଛନ୍ତି ତାହା କେବେ ବି ହୋଇନାହିଁ।