ରାଜ୍ୟର ୩ ଜିଲ୍ଲାରେ ମୁତୟନ ହେବେ ସିଏପିଏଫ୍‌, ସୁରକ୍ଷା ଏଜେନ୍ସି ମଧ୍ୟରେ ସମନ୍ୱୟକୁ ଗୁରୁତ୍ୱ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ମାଓ ହିଂସା ପ୍ରତି ଜିରୋ ଟଲେରାନ୍ସ ନୀତି ନକ୍ସଲ ଉପଦ୍ରବ କମାଇବାରେ ବେଶ ସହାୟକ ହୋଇଛି । କେନ୍ଦ୍ର ଓ ରାଜ୍ୟ ସୁରକ୍ଷା ଏଜେନ୍ସି ମଧ୍ୟରେ ଉତ୍ତମ ସମନ୍ୱୟ ଯୋଗୁଁ ରାଜ୍ୟରେ ମାଓ ଉପଦ୍ରବ ଜିଲ୍ଲା ୧୦କୁ ଖସିଛି। ଆଗକୁ ମାଓ ଉପଦ୍ରବ ଜିଲ୍ଲା ସଂଖ୍ୟାରେ ଆହୁରି ହ୍ରାସ କରାଯିବ । କେନ୍ଦ୍ରୀୟ ସୁରକ୍ଷା ବଳର ସହଯୋଗରେ ମାଓ ଦମନ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ । ରାଜ୍ୟର ୩ ମାଓପ୍ରବଣ ଜିଲ୍ଲା ଯଥା କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁରରେ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ ବା ସେଣ୍ଟ୍ରାଲ ଆର୍ମଡ ପୁଲିସ ଫୋର୍ସ (ସିଏପିଏଫ) ମୁତୟନ କରାଯିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟର ବରିଷ୍ଠ ପରାମର୍ଶଦାତା କେ. ବିଜୟ କୁମାର ପ୍ରତିଶ୍ରୁତି ଦେଇଛନ୍ତି ।

ଶନିବାର ଭୁବନେଶ୍ୱରରେ ଶ୍ରୀ ବିଜୟ କୁମାରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ରାଜ୍ୟରେ ମାଓ ପ୍ରଭାବକୁ ପ୍ରତିହତ କରିବା ଲାଗି ନିଆଯାଇଥିବା ପଦକ୍ଷେପର ଅଗ୍ରଗତି, ମାଓ ମୁକାବିଲା ପାଇଁ ଗ୍ରହଣ କରାଯାଇଥିବା ରଣକୌଶଳ, ରାଜ୍ୟରେ କେନ୍ଦ୍ରୀୟ ଫୋର୍ସ ମୁତୟନ ଆଦି ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ବୈଠକରେ ରାଜ୍ୟର ଅତ୍ୟଧିକ ମାଓପ୍ରବଣ ଅଞ୍ଚଳରେ କେନ୍ଦ୍ରୀୟ ସୁରକ୍ଷା ବଳ ସହଯୋଗରେ ମାଓଦମନ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ରାଜ୍ୟରେ ଏବେ ୧୦ ଜିଲ୍ଲାରେ ମାଓ ଉପଦ୍ରବ ଜାରି ରହିଛି। ସେଥିମଧ୍ୟରୁ କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁରରେ ମାଓ ପ୍ରଭାବ କିଛି ମାତ୍ରାରେ ଅଧିକ ରହିଛି । ତେଣୁ ଏହି ୩ ଜିଲ୍ଲାରେ ସିଏପିଏଫ ମୁତୟନ କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ସେହିପରି କେନ୍ଦ୍ରୀୟ ପୁଲିସ ବଳ ସହ ସମନ୍ୱୟ ରକ୍ଷା କରି ମାଓଦମନ କାର୍ଯ୍ୟକୁ ଆଗେଇ ନେବାକୁ ବୈଠକରେ ସ୍ଥିର କରାଯାଇଛି । କେନ୍ଦ୍ର ଓ ରାଜ୍ୟ ପୁଲିସ ମଧ୍ୟରେ ଉତ୍ତମ ସମନ୍ୱୟ ରହିଲେ ଓଡ଼ିଶାକୁ ମାଓମୁକ୍ତ କରାଯାଇପାରିବ ବୋଲି ଶ୍ରୀ ବିଜୟ କୁମାର ବୈଠକରେ ରାଜ୍ୟ ପୁଲିସକୁ ପରାମର୍ଶ ଦେଇଛନ୍ତି ।