ଗଣମାଧ୍ୟମରେ ଅପରାଧିକ ତଥ୍ୟ ଦେବେ ପ୍ରାର୍ଥୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭାରତ ନିର୍ବାଚନ କମିଶନଙ୍କ ପରିବର୍ତ୍ତିତ ନିର୍ଦ୍ଦେଶାନୁସାରେ ଓଡ଼ିଶାର ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ଉପ-ନିର୍ବାଚନରେ ଅଂଶଗ୍ରହଣ କରୁଥିବା ପ୍ରାର୍ଥୀ ଓ ରାଜନୈତିକ ଦଳଗୁଡ଼ିକ ତିନୋଟି ପର୍ଯ୍ୟାୟରେ ପ୍ରାର୍ଥୀଙ୍କର ଅପରାଧପ୍ରବଣ ପୃଷ୍ଠଭୂମି ସମ୍ପର୍କରେ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ ଜରିଆରେ ପ୍ରଚାର ପ୍ରସାର କରାଇବେ। ପ୍ରଥମ ପର୍ଯ୍ୟାୟ ପ୍ରଚାରପ୍ରସାର ପାଇଁ ପ୍ରାର୍ଥୀ ଓ ରାଜନୈତିକ ଦଳଗୁଡ଼ିକ ନାମାଙ୍କନ ପତ୍ର ପ୍ରତ୍ୟାହାରର ପ୍ରଥମ ଚାରିଦିନ ମଧ୍ୟରେ କରାଇବେ। ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାରପ୍ରସାର ନାମାଙ୍କନପତ୍ର ପ୍ରତ୍ୟାହାରର ପଞ୍ଚମରୁ ଅଷ୍ଟମ ଦିନ ମଧ୍ୟରେ ଏବଂ ସେହିପରି ତୃତୀୟ ପର୍ଯ୍ୟାୟ ପ୍ରଚାରପ୍ରସାର ନାମାଙ୍କନପତ୍ର ପ୍ରତ୍ୟାହାରର ନବମ ଦିନଠାରୁ ନିର୍ବାଚନ ପ୍ରଚାରର ଶେଷ ଦିନ ମଧ୍ୟରେ ଅର୍ଥାତ୍ ଭୋଟ ଗ୍ରହଣର ଦୁଇଦିନ ପୂର୍ବରୁ କରାଇବେ। ଅପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀମାନଙ୍କ କ୍ଷେତ୍ରରେ ମଧ୍ୟ ଅନୁରୂପ ଭାବେ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ ଜରିଆରେ ପ୍ରାର୍ଥୀଙ୍କର ଅପରାଧପ୍ରବଣ ପୃଷ୍ଠଭୂମି ସମ୍ପର୍କରେ ପ୍ରଚାର ପ୍ରସାର କରାଇବା ନିମନ୍ତେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ରହିଛି ।