ନୂଆଦିଲ୍ଲୀ: କରୋନାକୁ ବିଶ୍ୱ ମହାମାରୀ ଘୋଷଣା କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ-WHO। କରୋନାର ଭୟବହତାକୁ ଦେଖି ଏହାକୁ ବିଶ୍ୱ ମହାମାରୀ କୁହାଯାଇ ପାରିବ ବୋଲି ଡବ୍ଲୁଏଚ୍ଓ ଡିଜି କହିଛନ୍ତି। ବର୍ତ୍ତମାନ ସୁଦ୍ଧା ୧୧୪ ଦେଶକୁ ବ୍ୟାପୀ ସାରିଲାଣି କରୋନା। ୧ ଲକ୍ଷ ୨୦ ହଜାରରୁ ଅଧିକ ଲୋକ କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ୪ ହଜାର ୫ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି। ଆସନ୍ତା ସପ୍ତାହରେ ଏହି ସଂଖ୍ୟା ବହୁ ଅଧିକ ହେବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଶଂକା ପ୍ରକାଶ କରିଛି। ସମସ୍ତ ଦେଶ ଯୁଦ୍ଧକାଳୀନ ଭିତ୍ତିରେ ଏହାର ମୁକାବିଲା କରିବାକୁ ଆହ୍ଵାନ ଦେଇଛି ଡବ୍ଲୁଏଚ୍ଓ।
ଏପଟେ କରୋନା ମୁକାବିଲା ନେଇ ବଡ ନିଷ୍ପତ୍ତି ନେଇଛି ଭାରତ। ଏପ୍ରିଲ ୧୫ ପର୍ଯ୍ୟନ୍ତ ସମସ୍ତ ଭିସାକୁ ବାତିଲ କରି ଦେଇଛନ୍ତି କେନ୍ଦ୍ର ସରକାର। କେବଳ କୁଟନୈତିକ ଓ ଜାତିସଂଘ ଭିସାକୁ ଛାଡି ଅନ୍ୟ ସମସ୍ତ ଭସା ରଦ୍ଦ ହୋଇ ଯାଇଛି। ଓସିଆଇ କାର୍ଡ ହୋଲଡରଙ୍କ ଭିସାକୁ ମଧ୍ୟ ରଦ୍ଦ କରି ଦିଆଯାଇଛି। ଗତକାଲି ବସିଥିବା ଦ୍ୱିତୀୟ ମନ୍ତ୍ରିସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କେବଳ ଜାତିସଂଘ କର୍ମଚାରୀଙ୍କ କ୍ଷେତ୍ରରେ ଭିସା କୋହଳ ହେବ। ମାର୍ଚ୍ଚ ୧୩ରୁ ଏହି ନିଷ୍ପତ୍ତି ଲାଗୁ ହେବ। ବିଦେଶରୁ ଫେରୁଥିବା ଯାତ୍ରୀଙ୍କୁ ମଧ୍ୟ ଆଡଭାଇଜରୀ ଜାରି କରାଯାଇଛି।
ଫେବୃଆରୀ ୨୦ ପରେ କରୋନା ଆକ୍ରାନ୍ତ ଚୀନ୍, ଇଟାଲୀ, ଇରାନ, କୋରିଆ, ଫ୍ରାନ୍ସ, ସ୍ପେନ୍ ଓ ଜର୍ମାନୀରୁ ଫେରିଥିବା ସମସ୍ତ ଯାତ୍ରୀ ୧୪ ଦିନିଆ କ୍ୱାରେଣ୍ଟାଇନ୍ ରହିବ। ଆବଶ୍ୟକ ନଥିଲେ ବିଦେଶ ଯାତ୍ରା କରିବାରୁ ନିବୃତ୍ତ ରହିବାକୁ ପରାମର୍ଶ ଦିଆଯାଇଛି। ଭାରତରେ କରୋନା ଦିନକୁ ଦିନ କାୟା ବସ୍ତାର କରିବାରେ ଲାଗିଛି। ଗତକାଲି ମହରାଷ୍ଟ୍ରରେ ୧୧ଟି ନୂଆ ପଜିଟିଭ୍ ଚିହ୍ନଟ ହୋଇଛି।