ପାଟଣାଗଡ଼ରେ ଧାନ ବିକ୍ରୟ ପାଇଁ ଆଜିଠୁ ବୁଲିଲା ପ୍ରଚାର ରଥ

ପାଟଣାଗଡ଼,ଏନ୍‌ଏନ୍‌ଏସ୍‌: ପାଟଣାଗଡ଼ ଉପଖଣ୍ଡର ୩ଟି ବ୍ଲକରେ ଧାନ ବିକ୍ରି ସମ୍ବନ୍ଧରେ ଚାଷୀଙ୍କୁ ଜଣାଇବା ପାଇଁ ଏକ ପ୍ରଚାର ରଥ ବ୍ୟବସ୍ଥା କରାଯାଇଛି । ପ୍ରଥମେ ରଥକୁ ଗମ୍ଭାରୀ ଗ୍ରାମର ବରିଷ୍ଠ ଚାଷୀ ପ୍ରହ୍ଲାଦ ସାଏ ପୂଜା କରିଥିଲେ । ପରେ ଉପଜିଲ୍ଲାପାଳ ଡା. ବିଜୟାନନ୍ଦ ସେଠୀ ଓ ପାଟଣାଗଡ଼ ତହସିଲଦାର ଲକ୍ଷଣ ମାଝୀ ସବୁଜ ପତାକା ଦେଖାଇ ରଥର ଶୁଭାରମ୍ଭ କରିଥିଲେ । ଚଳିତ ବର୍ଷ ଏ ଗ୍ରେଡ ଧାନ କୁଇଣ୍ଟାଲ ପିଛା ସରକାରୀ ଧାର୍ଯ୍ୟ ୨୦୬୦ ଓ ସାଧାରଣ ଏଫଏକ୍ୟୁ ୨୦୪୦ ରଖାଯାଇଛି ବୋଲି ପାଟଣାଗଡ଼ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ପାଟଣାଗଡ଼ ତହସିଲଦାର, ପାଟଣାଗଡ଼ ଯୋଗାଣ ବିଭାଗର ଅଧିକାରୀ ମାୟାଧର ସାହୁ ଓ ଆରଏମସି ଅଧିକାରୀ କ୍ଷମାନିଧି ଗଡ଼ତ୍ୟା ସହ ବହୁ ଚାଷୀ ଓ ସରକାରୀ କର୍ମଚାରୀ ଉପସ୍ଥିତ ଥିଲେ ।