ଭାରୀଯାନ ଛାଡ଼ି ଲୁନାରେ କୋଇଲା କଳାବଜାରୀ ଆରମ୍ଭ କଲେଣି ମାଫିଆ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ାରେ ଥିବା କୋଇଲା ଖଣିରୁ ମାଫିଆମାନେ ପୂର୍ବରୁ ଟ୍ରକ ତଥା ଅନ୍ୟ ଭାରୀଯାନରେ କୋଇଲା ତସ୍କରୀ କରୁଥିଲେ। ପୁଲିସ ତଥା ଖଣି କର୍ତୃପକ୍ଷ ଏହା ଉପରେ ରୋକ ଲଗାଇବା ପରେ ଏବେ ମାଫିଆମାନେ କୋଇଲା ଚୋରିର ନୂଆଁ ପନ୍ଥା ଆପଣାଇଛନ୍ତି। ଭାରୀଯାନ ପରିବର୍ତ୍ତେ ଏବେ ମାଫିଆମାନେ କୋଇଲା ପାଇଁ ଲୁନା ଗାଡ଼ି(ମୋଫେଡ) ବ୍ୟବହାର କରୁଛନ୍ତି। ଲୁନା ଗାଡ଼ିିରେ ୫-୬ଟି ପ୍ଲାଷ୍ଟିକ ବସ୍ତାରେ କୋଇଲା ନେଇ ଅବାଧରେ ଜାତୀୟ ରାଜପଥରେ ଗଲେ ମଧ୍ୟ କାହାରି ନଜର ପଡ଼ୁନାହିଁ। କାରଣ ଝାରସୁଗୁଡ଼ା ପରି ଖଣି ସମୃଦ୍ଧ ଜିଲ୍ଲାରେ ୨-୩ ବସ୍ତାର କୋଇଲା ଚୋରି ହେବା ନେଇ କେହି କଳ୍ପନା କରୁନାହାନ୍ତି। ହେଲେ କୋଇଲା ମାଫିଆମାନେ ଭାରୀଯାନକୁ ଛାଡ଼ିଦେଇ ଏକାଥରକେ ୪୦-୫୦ଟି ଲୁନା କିଣି କୋଇଲା ତସ୍କରୀ ଆରମ୍ଭ କରିଛନ୍ତି। ଆଉ ଏହି ତସ୍କରୀରେ ଖଣି ନିକଟବର୍ତୀ ଗ୍ରାମର ବେକାର ଯୁବକ ତାଙ୍କ ଟାର୍ଗେଟର ଅଛନ୍ତି। ବେକାର ଯୁବକଙ୍କୁ ମାଫିଆମାନେ ମଧ୍ୟସ୍ଥିି ସହାୟତାରେ ଲୁନା ଗାଡ଼ି ଏବଂ ତେଲ ଖର୍ଚ୍ଚ ଦେବା ସହ ଟ୍ରିପ ପ୍ରତି ପ୍ରାୟ ୨ଶହ ଟଙ୍କା ପ୍ରଦାନ କରୁଛନ୍ତି। ଏହି ଯୁବକମାନେ ଦୈନିକ ୩-୪ ଟ୍ରିପ କୋଇଲା ଆଣି ମାଫିଆମାନେ ସୂଚନା ଦେଇଥିବା ଜାଗାରେ ଅନଲୋଡ କରି ୬ରୁ ୮ଶହ ଟଙ୍କା ରୋଜଗାର କରୁଛନ୍ତି। ଗୋଟିଏ ଯୁବକ ଏହି ହିସାବର ଦୈନିକ ପ୍ରାୟ ୬-୮ କୁଇଣ୍ଟାଲ କୋଇଲା ଚୋରି କରି ମାଫିଆଙ୍କୁ ଦେଉଛନ୍ତି। ଏହି ହିସାବରେ ଗୋଟିଏ ମାଫିଆ ପାଖରେ କାମ କରୁଥିବା ୪୦-୫୦ଜଣ ଯୁବକ ୪ଶହ କୁଇଣ୍ଟାଲ କୋଇଲା ଚୋରି କରି ନେବା ସହ ଅନେକ କୋଇଲା ମାଫିଆ ଏବେ ଝାରସୁଗୁଡ଼ାରେ ସକ୍ରିୟ ଅଛନ୍ତି। ବେକାର ଯୁବକଙ୍କୁ ଅର୍ଥ ଲୋଭ ଦେଖାଇ ବିନା ନମ୍ବର ପ୍ଲେଟର ଲୁନା ଗାଡ଼ିଟିଏ ଦେଇ କୋଇଲା ଚୋରି କରିବା ପାଇଁ ମାଫିଆମାନେ ପ୍ରବର୍ତ୍ତାଉଛନ୍ତି। ଏଥିସହିତ ମାଫିଆମାନେ ଏହି କୋଇଲାକୁ ଜିଲ୍ଲା ତଥା ଜିଲ୍ଲା ବାହାରେ ଥିବା ବିଭିନ୍ନ ଇଟା ଭାଟି, ଢାବା, ହୋଟେଲ ଓ ଅନ୍ୟାନ୍ୟ ସ୍ଥାନକୁ ଚାଲାଣ କରି ମାଲେମାଲ ହେଉଛନ୍ତି। ତେବେ କୋଇଲା ଚୋରି ସମୟରେ ଏହି ଯୁବକମାନେ ଧରାପଡ଼ିଲେ ମାଫିଆଙ୍କ ଆଉ ଦେଖା ମିଳୁନାହିଁ। ଯୁବକମାନେ ମଧ୍ୟ କାହା ପାଇଁ କାମ କରୁଥିଲେ ତାହା ସୂଚନା ଦେଇ ପାରୁନାହାନ୍ତି। ଫଳରେ ପୁଲିସ ମଧ୍ୟ ମାଫିଆଙ୍କ ପାଖକୁ ପହଞ୍ଚିବା ପାଇଁ ଅସମର୍ଥ ହେଉଛି।