କୃଷିନୀତି ସମୃଦ୍ଧି ୨୦୧୯କୁ କ୍ୟାବିନେଟ ମଞ୍ଜୁରୀ

କ୍ୟାବିନେଟ ବୈଠକ , ୮ ପ୍ରସ୍ତାବରେ ଲାଗିଲା ମୋହର

ଭୁବନେଶ୍ୱର, ଏନ୍ଏନ୍ଏସ୍ : ଓଡ଼ିଶା କୃଷି ନୀତି-୨୦୧୯(ସମୃଦ୍ଧି) ସମେତ ମୋଟ ୮ଟି ପ୍ରସ୍ତାବକୁ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‍ ବୈଠକରେ ଅନୁମୋଦନ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ୬୦୬ଟି ସରକାରୀ କଲେଜ ଡିଗ୍ରୀ ଅଧ୍ୟାପକ ପଦବୀରେ ନିଯୁକ୍ତି ପାଇଁ ବୟସସୀମାକୁ କୋହଳ କରିବା, ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ମୁଖ୍ୟାଳୟ ସ୍ଥାପନ ସମେତ ବିଭିନ୍ନ ଚାକିରି ସର୍ତ୍ତାବଳୀ ଥିବା ପ୍ରସ୍ତାବକୁ କ୍ୟାବିନେଟ୍‍ ମଞ୍ଜୁରୀ ମିଳିଛି। ମଙ୍ଗଳବାର ଲୋକସେବା ଭବନରେ ଅନୁଷ୍ଠିତ କ୍ୟାବିନେଟ୍‍ ବୈଠକ ପରେ ମୁଖ୍ୟ ଶାସନ ସଚିବ ଅସିତ୍‍ କୁମାର ତ୍ରିପାଠୀ ଓ ଅନ୍ୟ ବିଭାଗୀୟ ସଚିବମାନେ ସରକାରଙ୍କ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଥିଲେ।

ଶ୍ରୀ ତ୍ରିପାଠୀ କହିଥିଲେ, ୨୦୧୩ ମସିହାରେ ଆସିଥିବା ରାଜ୍ୟ କୃଷି ନୀତିରେ ବ୍ୟାପକ ସଂଶୋଧନ କରାଯାଇ ୨୦୧୯ କୃଷି ନୀତି ‘ସମୃଦ୍ଧି’ ଆଧାରରେ କାର୍ଯ୍ୟ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ କ୍ୟାବିନେଟ୍‍ ଏହି ନୂଆ କୃଷି ନୀତିକୁ ଅନୁମୋଦନ କରିଛନ୍ତି। ଏହି ନୂତନ କୃଷି ନୀତି ଦ୍ୱାରା କୃଷକ ମାନଙ୍କ ଆୟର ନିରନ୍ତର ଅଭିବୃଦ୍ଧି କୁ ନିଶ୍ଚିନ୍ତ କରିବା , କ୍ଷୂଦ୍ର ଓ ନାମମାତ୍ର ଚାଷୀ ମାନଙ୍କ ଅଭିବୃଦ୍ଧି ପ୍ରକ୍ରିୟାକୁ ,ସୁଦୃଢ କରିବା , କୃଷି ଅଭିବୃଦ୍ଧିକୁ ସ୍ଥାୟୀ କରାଯାଇପାରିବ।

ଏହି ଲକ୍ଷ୍ୟ ସାଧନ ପାଇଁ ବିଜ୍ଞାନ ଓ ବୈଶୟିକ ଜ୍ଞାନ କୌଶଳର ପ୍ରୟୋଗ , ଜଳବାୟୁ ପରିବର୍ତନ ସହ ଖାପ ଖୁଆଇବା , କୃଷି ଉତ୍ପାଦ ପାଇଁ ବଜାର (ଘରୋଇ ଓ ଆନ୍ତର୍ଜାତୀୟ) , ଉତ୍ପାଦନ ବୃଦ୍ଧି ପାଇଁ ସମ୍ବଳର ସୁବିନିଯୋଗ, ଉପଯୁକ୍ତ ଭିତିଭୂମି ନିର୍ମାଣ , ଉଚ୍ଚ ମୂଲ୍ୟଯୁକ୍ତ କୃଷି ଉତ୍ପାଦନ ଓ ବିବିଧିକରଣ, ମାନବ ସମ୍ବଳର ଉନ୍ନତି ଓ କୌଶଳ ବିକାଶ, ଅନୁଷ୍ଠାନ ଗୁଡିକୁ ଶକ୍ତିଶାଳୀ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।

ସେହିଭଳି କୃଷି ଉତ୍ପାଦ ସଂଗଠନ ସୃଷ୍ଟି କରିବା , ପ୍ରାକ୍ ଓ ପରବର୍ତ୍ତୀ ଅମଳ ପରିଚାଳନା କରି ଅପଚୟ କମ୍ କରିବା, ଜଳବାୟୁ ପରିବର୍ତ୍ତନରେ ଖାପ ଖୁଆଇବା ଭଳି ବୈଷୟିକ ଜ୍ଞାନ କୌଶଳର ବ୍ୟବହାର କରିବା ,ଯୋଜନା ଓ ପର୍ଯ୍ୟାଲୋଚନା ପାଇଁ ଡାଟା ବ୍ୟବହାର କରିବା ଏବଂ କେନ୍ଦ୍ରୀୟ ଯୋଜନାର ସଫଳ ରୂପାୟନ ଉପରେ ପ୍ରାଧାନ୍ୟ ଦିଆଯାଇଛି ବୋଲି ମୁଖ୍ୟ ଶାସନ ସଚିବ ଜଣାଇଥିଲେ । ସେପଟେ ଗବେଷଣା , ବିକାଶ, ବିପର୍ଯ୍ୟୟ ପରିଚାଳନା, ବୀମା, ଋଣ ଓ ଅନ୍ୟାନ୍ୟ ବିଶେଷ କ୍ଷେତ୍ର ଉପରେ କୃଷି ନୀତିରେ ଧ୍ୟାନ ଦିଆଯାଇଛି ବୋଲି କୃଷି ସଚିବ ସୌରଭ ଗର୍ଗ ପ୍ରକାଶ କରିଥିଲେ।

ସେହିପରି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସରକାରୀ କଲେଜରେ ୬୦୬ଟି ଡିଗ୍ରୀ ଅଧ୍ୟାପକ ପଦବୀ ପୂରଣ ନିମନ୍ତେ ବୟସସୀମା ସର୍ବାଧିକ ୩୩ବର୍ଷରୁ ୪୮ବର୍ଷକୁ ବୃଦ୍ଧି କରିବାକୁ ରାଜ୍ୟ କ୍ୟାବିନେଟ୍‍ ଅନୁମତି ଦେଇଛନ୍ତି। ଏହା କେବଳ ଚଳିତ ନିଯୁକ୍ତି ପ୍ରକ୍ରିୟା ନିମନ୍ତେ ବୈଧ ରହିବ। ଅନ୍ୟ ସଂରକ୍ଷିତ ବର୍ଗର ପ୍ରାର୍ଥୀଙ୍କ ପାଇଁ ସର୍ବୋଚ୍ଚ ବୟସସୀମା ତଦନୁସାରେ ବିଚାରକୁ ନିଆଯିବ ବୋଲି ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ କହିଥିଲେ ଯେ, ୧୯୯୦ ଓଡ଼ିଶା ଶିକ୍ଷାସେବା କଲେଜ ଶାଖା ଚୟନ ନିୟମ ଏବଂ ତତ୍ପରବର୍ତ୍ତୀ ସଂଶୋଧନ ଅଧିନିୟମ ଅନୁସାରେ ୟୁଜିସି ହାରରେ ଦରମା ପାଉଥିବା ସରକାରୀ ଡିଗ୍ରୀ ମହାବିଦ୍ୟାଳୟ ଗୁଡ଼ିକର ଶିକ୍ଷକ ପଦବୀ ପୂରଣ ପାଇଁ ପ୍ରାର୍ଥୀ ଚୟନ କରାଯାଇ ନିଯୁକ୍ତି ଦିଆଯାଉଛି। ଯୋଗ୍ୟ ପ୍ରାର୍ଥୀମାନଙ୍କୁ ଉକ୍ତ ନିୟମାବଳୀ ଅନୁସାରେ ଓଡ଼ିଶା ଲୋକସେବା ଆୟୋଗ ମାଧ୍ୟମରେ ଚୟନ କରାଯିବାର ବ୍ୟବସ୍ଥା ରହିଛି।

ଏଥିପାଇଁ ବୟସସୀମା ପୂର୍ବରୁ ସାଧାରଣ ବର୍ଗଙ୍କ ପାଇଁ ୨୧ରୁ ୩୩ବର୍ଷ ଏବଂ ସଂରକ୍ଷିତ ବର୍ଗଙ୍କ ପାଇଁ ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ କୋହଳ ଥିଲା। ୧୯୯୦ର ଚୟନ ନିୟମ ଅନୁଯାୟୀ କଲେଜ ଅଧ୍ୟାପକ ପଦବୀ ନିମନ୍ତେ ଆବେଦନ କରିବା ଲାଗି ପ୍ରାର୍ଥୀଙ୍କର ସମ୍ପୃକ୍ତ ବିଷୟରେ ସ୍ନାତକୋତର ଡିଗ୍ରୀ ଯୋଗ୍ୟତାର ଆବଶ୍ୟକତା ଥିଲା। ୨୦୧୨-୧୩ରେ ସଂଶୋଧିତ ବ୍ୟବସ୍ଥା ଅନୁଯାୟୀ ତାକୁ ପିଏଚଡି, ନେଟ୍ ଯୋଗ୍ୟତା ବାଧ୍ୟତାମୂଳକ କରାଯାଇଛି। ଯେତେବେଳେ ଉପରୋକ୍ତ ପଦବୀ ପୂରଣ ନିମନ୍ତେ ଯୋଗ୍ୟତାର ସ୍ତର ବୃଦ୍ଧି କରାଯାଇଛି ସେତେବେଳେ ଅଧିକ ଯୋଗ୍ୟତା ହାସଲ ନିମନ୍ତେ ଅଧିକ ସମୟ ଲାଗୁଛି। ତେଣୁ ପ୍ରାର୍ଥୀମାନଙ୍କର ଆବେଦନ ବୟସସୀମା ୩୩ବର୍ଷରୁ ବୃଦ୍ଧି କରିବା ସରକାରଙ୍କର ହୃଦବୋଧ ହୋଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମେଡ଼ିକାଲ କଲେଜ, ହୋମିଓପ୍ୟାଥିକ କଲେଜ, ଆୟୁର୍ବେଦିକ କଲେଜଗୁଡ଼ିକର ଅଧ୍ୟାପକ ପଦବୀ ପୂରଣ ନିମନ୍ତେ ଆବେଦନ କରିବାର ସର୍ବୋଚ୍ଚ ବୟସ ସୀମା ୪୫ବର୍ଷ ରଖିଛନ୍ତି ବୋଲି ସେ କହିଥିଲେ।

ସେହିପରି ଓଡ଼ିଆ ରାଜ୍ୟ ବିଶ୍ୱବିଦ୍ୟାଳୟ ଅଧିନିୟମ-୨୦୧୭ରେ ସଂଶୋଧନ କରାଯାଇ ଓଡ଼ିଆ ବିଶ୍ୱବିଦ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟ ପୁରୀ ଜିଲ୍ଲାର ସତ୍ୟବାଦୀ ବନବିଦ୍ୟାଳୟରେ ପ୍ରତିଷ୍ଠା କରାଯିବା ପ୍ରସ୍ତାବକୁ କ୍ୟାବିନେଟ୍‍ ମଞ୍ଜୁରୀ ଦେଇଛନ୍ତି। ସେହିପରି ଆରଆଇ, ଏଆରଆଇ ଓ ଅମିନମାନଙ୍କ ନିଯୁକ୍ତି ନିମନ୍ତେ ଉଦ୍ଦିଷ୍ଟ ଓଡ଼ିଶା ଜିଲ୍ଲା ରାଜସ୍ୱ ସେବା ନିୟମ-୧୯୮୩ର ପ୍ରସ୍ତାବିତ ସଂଶୋଧନ କରାଯାଇଛି। ଏହାଦ୍ୱାରା ଆରଆଇ ପଦବୀରେ ସ୍ନାତକ ଏବଂ ଏଆରଆଇ ପାଇଁ ଡିପ୍ଲୋମା ଇଞ୍ଜିନିୟରମାନେ ଆବେଦନ କରିପାରିବେ। ଏହି ପ୍ରାର୍ଥୀମାନଙ୍କର ସର୍ବନିମ୍ନ ୭ମ ଶ୍ରେଣୀ ଓଡ଼ିଆ ଶିକ୍ଷାଗତ ଯୋଗ୍ୟତା ରହିଥିବା ଦରକାର। ଏଆରଆଇ, ଅମିନ ଏବଂ ଆରଆଇ ପାଇଁ ଷ୍ଟାପସିଲେକ୍ସନ କମିଶନ ଦ୍ୱାରା ଭିନ୍ନ ଭିନ୍ନ ପରୀକ୍ଷା ହେବ। ଏଥିରେ ନେଗେଟିଭ୍ ମାର୍କିଂ ରହିବ।

ଓଏସଜେଏସ ଓ ଓଜେଏସ ନିୟମାବଳୀ ୨୦୦୭କୁ ଅଧିକ ଉପାଦେୟ କରିବା ଏବଂ ଓଡ଼ିଶା ନ୍ୟାୟିକ ସେବା ଓଜେଏସରେ ଯେପରି ଅଧିକ ସଂଖ୍ୟାରେ ଏକ୍ସ-ସର୍ଭିସମ୍ୟାନ ତଥା ଷ୍ଟାଫ ସିଲେକ୍ସନ କମିଶନରେ କାର୍ଯ୍ୟରତ ଅଧିକାରୀ ଏବଂ ଭିନ୍ନକ୍ଷମ ବର୍ଗର ପ୍ରାର୍ଥୀ ନିଯୁକ୍ତି ସୁଯୋଗ ପାଇପାରିବେ ତାକୁ ଦୃଷ୍ଟିରେ ରଖି ଉକ୍ତ ନିୟମାବଳୀକୁ ସଂଶୋଧନ କରିବା ପାଇଁ ନିଷ୍ପତି ନିଆଯାଇଛି। ସିଭିଲ୍ ଜଜ୍ ପଦବୀ ପାଇଁ ହେଉଥିବା ପରୀକ୍ଷା ନିମନ୍ତେ ପୂର୍ବତନ ସାମରିକ କର୍ମଚାରୀମାନେ ଓ ଏସଏସସି ଅଧିକାରୀମାନଙ୍କ ପାଇଁ ସର୍ବୋଚ୍ଚ ବୟସସୀମାକୁ ୫ ବର୍ଷ ଏବଂ ଭିନ୍ନକ୍ଷମ ବ୍ୟକ୍ତିଙ୍କ ସ୍ଥଳେ ୧୦ ବର୍ଷ କୋହଳ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ସେହିପରି ଏସସି/ଏସଟି ଏବଂ ଏସିବିସି ବର୍ଗର ପ୍ରାର୍ଥୀଙ୍କ ପାଇଁ ଥିବା ସର୍ବୋଚ୍ଚ ବୟସସୀମା ଠାରୁ ଆଉ ଅଧିକ ଦଶବର୍ଷ କୋହଳ କରିବା ପାଇଁ ନିଷ୍ପତି ହୋଇଛି। ଏହାସହିତ ବିଧାନସଭା ଶୀତ ଅଧିବେଶନ ସମାପ୍ତି ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍‍ ଅନୁମୋଦନ କରିଛନ୍ତି।