ନାଗରିକତା ସଂଶୋଧନ ବିଲ୍ ରାଷ୍ଟ୍ରୀୟ ସ୍ୱାର୍ଥ ଦୃଷ୍ଟିରୁ ଦେଖାଯାଉ: ବିଜେଡି

ଭୁବନେଶ୍ୱର,ଏନ୍ଏନ୍ଏସ୍: ସଂସଦରେ ଆଗତ ହୋଇଥିବା ନାଗରିକତା ସଂଶୋଧନ ବିଲ୍ କୁ ସାଂପ୍ରଦାୟିକ କିମ୍ବା ଧର୍ମୀୟ ଦୃଷ୍ଟିରୁ ନଦେଖି, ଭାରତ ବର୍ଷର ରାଷ୍ଟ୍ରୀୟ ଓ ବୃହତର ସ୍ୱାର୍ଥ ଦୃଷ୍ଟିରୁ ଦେଖିବାର ଆବଶ୍ୟକତା ରହିଛି ବୋଲି ବିଜୁ ଜନତା ଦଳ ପକ୍ଷରୁ କୁହାଯାଇଛି। ଦଳର ମୁଖପାତ୍ର ଡକ୍ଟର ସସ୍ମିତ ପାତ୍ର କହିଛନ୍ତି ଯେ ନାଗରିକତା ସଂଶୋଧନ ବିଲ୍ ୨୦୧୯ର ପ୍ରଭାବ କେବଳ ଭାରତରେ ନୁହେଁ, ବରଂ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ଥାନ ପର୍ଯ୍ୟନ୍ତ ବ୍ୟାପିଛି।

ଓଡିଶା ଏକ ଶାନ୍ତିପ୍ରିୟ ଓ ଧର୍ମନିରପେକ୍ଷ ରାଜ୍ୟ ହୋଇଥିବାବେଳେ ବିଜୁ ଜନତା ଦଳର ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ଧର୍ମନିରପେକ୍ଷ ନେତା ଭାବେ ବେଶ୍‍ ପରିଚିତ।ବିଲକୁ  ଅନୁଧ୍ୟାନ କରିବା ପରେ ଦଳ ଅନୁଭବ କରୁଛି ଯେ ଏହି ବିଲ୍ର କୌଣସି ସଂପର୍କ ଏନ୍‍ଆରସି ସହିତ ନାହିଁ। ଏନ୍‍ଆରସି ଏକ ଭିନ୍ନ ପ୍ରସଙ୍ଗ ଏବଂ ତାହା ଉପରେ ବ୍ୟାପକ ଆଲୋଚନା କରିବାର ଆବଶ୍ୟକତା ରହିଛି।

ଏହି ବିଲ୍ ଯଦିଓ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶକୁ ଅନ୍ତର୍ଭୁକ୍ତ କରାଯାଇଛି, କିନ୍ତୁ ଶ୍ରୀଲଙ୍କାକୁ ବାଦ୍ ଦିଆଯାଇଛି। ପୂର୍ବରୁ ୧୧ ବର୍ଷ ଭାରତରେ ବସବାସ କରିଥିଲେ ଯାଇ ସେମାନେ ନାଗରିକତ୍ୱ ପାଇଁ ଆବେଦନ କରିପାରୁଥିଲେ। ତାହାକୁ କୋହଳ କରି କେବଳ ୫ ବର୍ଷକୁ ହ୍ରାସ କରାଯିବା ଦ୍ୱାରା ଅନେକ ଲୋକ ଏଥିରେ ଉପକୃତ ହେବେ। 

ବିଜୁ ଜନତାଦଳ ଏହି ବିଲ୍ କୁ ସମର୍ଥନ କରିବା ସହ ଦଳ ତିନିଟି ପରାମର୍ଶ ଦେଇଛି। ସେଗୁଡିକ ହେଲା:

୧. ଶ୍ରଲଙ୍କାକୁ ଏହି ବିଲ୍ କୁ ଅନ୍ତର୍ଭୁକ୍ତ କରାଯାଉ। ଶ୍ରୀଲଙ୍କାଠାରେ ଅନେକ ଦଶନ୍ଧିଧରି ହିନ୍ଦୁ ଓ ମୁସଲମାନ ସଂପ୍ରଦାୟ ପ୍ରତି ଅତ୍ୟାଚାର କରାଯାଉଛି। ସେମାନଙ୍କୁ ଏହି ସୁଯୋଗରୁ ବଞ୍ଚିତ କରାନଯାଉ।

୨. ଏହି ବିଲକୁ ଏନ୍‍ଆରସି ସହ ଯୋଡା ନଯାଉ। ଏନ୍‍ଆରସି ଏକ ବ୍ୟାପକ ପ୍ରସଙ୍ଗ, ଯାହା ଉପରେ ବିସ୍ତୃତ ଆଲୋଚନାର ଆବଶ୍ୟକତା ରହିଛି। ସରକାର ଏଥିପ୍ରତି ଧ୍ୟାନ ଦିଅନ୍ତୁ।

୩. ମୁସଲମାନ ସଂପ୍ରଦାୟକଙ୍କୁ ଅନ୍ତର୍ଭୁକ୍ତ ନକରାଯିବାରୁ ତାଙ୍କ ମନରେ ଯେଉଁ ସନ୍ଦେହ ସୃଷ୍ଟି ହେଉଥାଇପାରେ ତାହାକୁ ପ୍ରଶମିତ କରିବା ସରକାରଙ୍କର ନୈତିକ ଦାୟିତ୍ୱ। ସରକାର ଦୃଢତାର ସହ ସମାଜ ମଧ୍ୟରେ ଏଭଳି ବିଶ୍ୱାସ ବୃଦ୍ଧି କରନ୍ତୁ ଯେ ଏହି ବିଲ୍ ଏକ ନିର୍ଦ୍ଧିଷ୍ଟ ସଂପ୍ରଦାୟ ବିରୋଧରେ ନୁହେଁ, ଯାହାକି କିଛି ରାଜନୈତିକ ଦଳମାନେ ପ୍ରଚାର କରୁଛନ୍ତି।

ସର୍ବୋପରି କେନ୍ଦ୍ର ସରକାର ଯେଉଁ ବିଲ୍‍ ଆଣିଛନ୍ତି ତାହାର ରାଜନୀତିକରଣ ନକରାଯାଉ। ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏହାକୁ ସର୍ମଥନ କରିବା ଏବଂ ଯଦି ମନରେ କୌଣସି ଆଶଙ୍କା ଅଛି, ତାହାକୁ ଦୂର କରି ରାଜନୀତିକରଣରୁ ନିବୃତ୍ତ ରହିବା ଆବଶ୍ୟକ। ଦଳର ଉପରୋକ୍ତ ପରାମର୍ଶ ପ୍ରତି କେନ୍ଦ୍ର ସରକାର ଧ୍ୟାନ ଦେବା ସହିତ ତାହାକୁ କାର୍ଯ୍ୟକାରି କରିବେ ବୋଲି ବିଜେଡି ଆଶା ରଖିଛି। ମୁସଲମାନ ଭାଇଭଉଣୀମାନଙ୍କର ସବୁ ସନ୍ଦେହ ଦୂର କରିବା ପାଇଁ ଯେ ସରକାରଙ୍କର ସେମାନଙ୍କ ବିରୋଧରେ କୌଣସି ମନ୍ଦ ଉଦ୍ଦେଶ୍ୟ ନାହିଁ ଏବଂ ଯାହାକିଛି କରାଯାଉଛି ତାହା ଆମ ହିନ୍ଦୁ, ଶିଖ, ବୌଦ୍ଧ, ଜୈନ, ପାର୍ସୀ ଓ ଖ୍ରୀଷ୍ଟିୟ ସଂପ୍ରଦାୟର ଭାଇଭଉଣୀମାନଙ୍କ ପାଇଁ ବୋଲି ଡକ୍ଟର ପାତ୍ର ସ୍ପଷ୍ଟ କରିଛନ୍ତି।