ସିଏଏ ସମର୍ଥନରେ ବିଜେପିର ଶୋଭାଯାତ୍ରା

ବଲାଙ୍ଗୀର,ଏନ୍ଏନ୍ଏସ୍ : ନାଗରିକ ସଂଶୋଧନ ଆଇନ (ସିଏଏ)କୁ ନେଇ ସମଗ୍ର ଦେଶରେ ବିତର୍କ ଦେଖାଦେଇଛି। କିଛି ରାଜନୈତିକ ଦଳ ଓ ସଙ୍ଗଠନ ଏହି ଆଇନକୁ ନେଇ ତୀବ୍ର ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି । ତେବେ ବିଜେପି ଆଇନ ସପକ୍ଷରେ ଜନମତ ସୃଷ୍ଟି କରିବା ପାଇଁ ଲୋକଙ୍କ ପାଖକୁ ଯାଉଛି । ଏହି କ୍ରମରେ ସିଏଏକୁ ସମର୍ଥନ କରି ବଲାଙ୍ଗୀରରେ ବିଜେପି ତରଫରୁ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବିଜେପି ନେତୃମଣ୍ଡଳୀ ଓ କର୍ମୀମାନେ ସ୍ଥାନୀୟ ମହାଦେବ ମନ୍ଦିର ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚିଥିଲେ । ସେଠାରେ ଅନୁଷ୍ଠିତ ହୋଇଥିବା ସଭାରେ ନେତୃମଣ୍ଡଳୀ ସିଏଏ ସପକ୍ଷରେ ଯୁକ୍ତି ବାଢିଥିଲେ ।

ଦେଶପାଇଁ ସିଏଏର ଆବଶ୍ୟକତା ରହିଥିଲା । ଏହାକୁ ଦୃଷ୍ଟିରେ ରଖି ସଂସଦରେ ଆଇନ ପ୍ରଣୟନ କରାଯାଇଛି । ଦେଶ ବିଭାଜନ ପରେ ଅନ୍ୟ ଦେଶରେ ରହିଯାଇଥିବା ତଥା ଧାର୍ମିକ ଉଗ୍ରତାର ଶିକାର ହେଉଥିବା ଭାଇଭଉଣୀମାନଙ୍କୁ ଦେଶରେ ଆଶ୍ରୟ ଦେବା ଆମର ଦାୟିତ୍ୱ । ଯେଉଁମାନେ ବେନିୟମ ଭାବରେ ଦେଶରେ ରହୁଛନ୍ତି ସେମାନଙ୍କୁ ଦେଶରୁ ବିଦା କରିବା ସମୟ ମଧ୍ୟ ଆସିଯାଇଛି ବୋଲି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂଦେଓ କହିଥିଲେ । କେବଳ ଭୋଟ ରାଜନୀତି କରିବା ପାଇଁ କଂଗ୍ରେସ ଦଳ ଦେଶରେ ମିଥ୍ୟା ପ୍ରଚାର କରିବା ସଙ୍ଗେ ହିଂସା ସୃଷ୍ଟି କରୁଛି ବୋଲି ମଧ୍ୟ ସେ କହିଥିଲେ । ତେବେ ଏହି ଆଇନ ଦ୍ୱାରା ଦେଶର କୌଣସି ନାଗରିକଙ୍କ ଅସୁବିଧା ହେବ ନାହିଁ ବୋଲି ଅନ୍ୟାନ୍ୟ ବକ୍ତାମାନେ କହିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ କନକ ବର୍ଦ୍ଧନ ସିଂଦେଓ , ଲୋଇସିଂହା ବିଧାୟକ ଡ.ମୁକେଶ ମହାଲିଙ୍ଗ , ଜିଲ୍ଲା ସଭାପତି ଶିବାଜୀ ମହାନ୍ତି ଓ ଯୁବନେତା ଅନନ୍ତ ଦାସଙ୍କ ସମେତ ଅନ୍ୟାନ୍ୟ ନେତୃମଣ୍ଡଳୀ ଉପସ୍ଥିତ ଥିଲେ ।