ସିଏଏକୁ ବିରୋଧ କରି ଦିଲ୍ଲୀରେ ହିଂସା; ଆସାମରେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ୍ (ସିଏଏ)କୁ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ବିରୋଧ କରାଯାଉଥିଲାବେଳେ ଜାତୀୟ ରାଜଧାନୀ ଦିଲ୍ଲୀରେ ରବିବାର ଏହାକୁ ଜୋରଦାର ବିରୋଧ କରାଯାଇ ବ୍ୟାପକ ପୋଡ଼ାଜଳା କରାଯାଇଛି। ଦିଲ୍ଲୀର ଜାମିଆନଗର ଅଞ୍ଚଳରେ ସିଏଏକୁ ବିରୋଧ କରି ଆନ୍ଦୋଳନକାରୀମାନେ ୩ଟି ବସ୍ ପୋଡ଼ିଦେଇଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ ଯେ ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟର ଛାତ୍ର ଏବଂ ସ୍ଥାନୀୟ ଲୋକେ ସିଏଏକୁ ବିରୋଧ କରି ବସରେ ନିଆଁ ଲଗାଇ ଦେଇଥିଲେ। ଅପରପକ୍ଷରେ ଆସାମରେ ସିଏଏକୁ ବିରୋଧ ଜାରି ରହିଛି। ଗୁଳିମାଡ଼ରେ ଆହତ ହୋଇ ଚିକିତ୍ସିତ ହେଉଥିବା ୨ ଜଣଙ୍କର ରବିବାର ମୃତ୍ୟୁ ଘଟିବା ଫଳରେ ମୃତ୍ୟୁସଂଖ୍ୟା ୫ରେ ପହଞ୍ଚଛି। ଆସାମର ଗୁଆହାଟୀ, ଦିବ୍ରୁଗଡ଼, ତିନସୁକିଆ ଓ ତେଜପୁର ଆଦି ଅଞ୍ଚଳରେ ମୋବାଇଲ୍ ଓ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି। ସେହିପରି ପଶ୍ଚିମବଙ୍ଗର ୬ଟି ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ ରହିଛି।

ଦକ୍ଷିଣ ଦିଲ୍ଲୀର ପ୍ରମୁଖ ଅଞ୍ଚଳ ଫ୍ରେଣ୍ଡସ୍ କଲୋନୀରେ ରବିବାର ବିଳମ୍ବିତ ସନ୍ଧ୍ୟାରେ ସାନି ସଂଘର୍ଷର ସୂତ୍ରପାତ ହୋଇଥିଲା। ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟର ଛାତ୍ରମାନେ ଜନ୍ତରମନ୍ତର ଅଭିମୁଖେ ଶୋଭାଯାତ୍ରାରେ ଗଲାବେଳେ ପୁଲିସ ସେମାନଙ୍କୁ ବାଧା ଦେଇଥିଲା। ଏହି ସମୟରେ ଶୋଭାଯାତ୍ରାକାରୀମାନେ ୩ଟି ବସ୍, କେତେକ ଦୁଇଚକିଆ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ତୁରନ୍ତ ଘଟଣାସ୍ଥଳରେ ୪ଟି ଦମକଳ ପହଞ୍ଚ ନିଆଁକୁ ଆୟତ୍ତ କରିଥିଲା। ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଶାନ୍ତି ବଜାୟ ରଖିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ତେବେ ପରବର୍ତ୍ତୀ ସମୟରେ ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟର ଛାତ୍ରମାନେ ଏହି ପୋଡ଼ାଜଳାରେ ସମ୍ପୃକ୍ତ ନୁହନ୍ତି ବୋଲି ଏକ ବିବୃତ୍ତିରେ କହିଛନ୍ତି। ବିଶ୍ୱବିଦ୍ୟାଳୟର କୁଳପତି ନଜମା ଅଖତାର ମଧ୍ୟ ଛାତ୍ରମାନେ ଏଥିରେ ସମ୍ପୃକ୍ତ ନଥିବା କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି, କେତେକ ସମାଜବିରୋଧୀ ଶକ୍ତି ଫାଇଦା ଉଠାଇବାକୁ ଯାଇ ଆନ୍ଦୋଳନକାରୀମାନଙ୍କୁ ଉସକାଉଛନ୍ତି। ଏହା ପଛରେ କଂଗ୍ରେସର ମଧ୍ୟ ହାତ ରହିଛି ବୋଲି ଜିତେନ୍ଦ୍ର ସିଂହ ଅଭିଯୋଗ କରିଛନ୍ତି। ସେ ଆହୁରି କହିଛନ୍ତି, କେତେକ ରାଜ୍ୟ ଏହି ଆଇନ୍ ଲାଗୁ ନକରିବା ପାଇଁ ଜିଦ୍ ଧରିଛନ୍ତି। ଏହା କେନ୍ଦ୍ର ସରକାରଙ୍କ ବିଚାରାଧୀନ ବିଷୟ ହୋଇଥିଲାବେଳେ ଏହି ରାଜ୍ୟଗୁଡ଼ିକ କିଭଳି ଏ ପ୍ରକାର ଚିନ୍ତାଧାରା ରଖିଛନ୍ତି ତାହା ବୁଝିହେଉ ନାହିଁ।

ଆସାମ ଓ ତ୍ରିପୁରାରେ ସିଏଏକୁ ବିରୋଧ ପ୍ରଦର୍ଶନ ଜାରି ରହିଥିଲେ ମଧ୍ୟ ଉତ୍ତେଜନା ସାମାନ୍ୟ ହ୍ରାସ ପାଇବାରୁ କର୍ତ୍ତୃପକ୍ଷ କେତେକ ଅଞ୍ଚଳରେ ରବିବାର କର୍ଫ୍ୟୁ କୋହଳ କରିଛନ୍ତି। ତେବେ ଗତ ଗୁରୁବାର ଗୁଳିମାଡ଼ରେ ଆହତ ହୋଇଥିବା ୨ ଜଣ ଆନ୍ଦୋଳନକାରୀଙ୍କ ମୃତ୍ୟୁ ଘଟିବାରୁ ମୃତ୍ୟୁସଂଖ୍ୟା ୫କୁ ବୃଦ୍ଧି ପାଇଛି। ଅନ୍ୟ ଏକ ଘଟଣାକ୍ରମରେ ବିଜେପିର ସହଯୋଗୀ ଆସାମ ଗଣପରିଷଦ ପାର୍ଲାମେଣ୍ଟରେ ନାଗରିକତା ସଂଶୋଧନ ବିଲ୍ ସମର୍ଥନ କରିଥିଲେ ମଧ୍ୟ ଏହାକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ୍ କରିବ ବୋଲି କହିଛି।

ଇତିମଧ୍ୟରେ ପଶ୍ଚିମବଙ୍ଗ ସ୍ଥିତିରେ ସାମାନ୍ୟ ପରିବର୍ତ୍ତନ ଘଟିଥିଲେ ମଧ୍ୟ ସିଏଏକୁ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ୬ଟି ଜିଲ୍ଲା ମାଲଦା, ମୁର୍ଶିଦାବାଦ, ଉତ୍ତର ଦିନାଜପୁର, ବର୍ସାତ, ହାୱଡ଼ା ଓ ଉତ୍ତର ୨୪ ପ୍ରଗଣାରେ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି। ଏହି ପରିପ୍ରେକ୍ଷୀରେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନକର ରାଜ୍ୟର ପରିସ୍ଥିତି ନିୟନ୍ତ୍ରଣାଧୀନ ରଖିବାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପରାମର୍ଶ ଦେଇଛନ୍ତି। ରାଜ୍ୟରେ ଦେଖାଦେଇଥିବା ଅରାଜକତାକୁ ତୁରନ୍ତ ବନ୍ଦ କରିବା ଲାଗି ସରକାର ବିହିତ ପଦକ୍ଷେପ ନେବାକୁ ରାଜ୍ୟପାଳ ଧନକର ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଆସାମରେ ନାଗରିକତା ସଂଶୋଧନ ଆଇନ୍କୁ ବିରୋଧ କରି ଆନ୍ଦୋଳନ ଜୋରଦାର ହେବାରୁ ସେଠାରେ ସେନା ମୁତୟନ କରାଯାଇଛି। ପଶ୍ଚିମବଙ୍ଗରେ ଗତ ଶନିବାର ସିଏଏକୁ ବିରୋଧ କରି ଲଙ୍କାକାଣ୍ଡ ସୃଷ୍ଟି ହୋଇଥିଲା। ଆନ୍ଦୋଳନକାରୀମାନେ ଟ୍ରେନ୍, ରେଳଷ୍ଟେସନ୍, ବସ୍ ପ୍ରଭୃତି ପୋଡ଼ାଜଳା କରିଥିଲେ।