ସିଏଏ ବିରୋଧରେ ଜାମିଆ-ଏମୟୁରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ, ୬ଟି ଜିଲ୍ଲାରେ ୧୪୪ ଧାରା ଲାଗୁ

ନୂଆଦିଲ୍ଲୀ,ଏଜେନ୍ସି: ଦିଲ୍ଲୀର ଜାମିଆ ନଗରଠାରେ ରବିବାର ନାଗରିକତା ସଂଶୋଧନ ବିଲକୁ ବିରୋଧ ପ୍ରଦର୍ଶନ କରି ଜାମିଆ ଓ ଏଏମୟୁର ଛାତ୍ରଛାତ୍ରୀଙ୍କ ସହ ଦିଲ୍ଲୀ ପୁଲିସର ସଂଘର୍ଷ ହୋଇଥିଲା। ଏ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଜାମିଆ ଅଞ୍ଚଳରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଜାମିଆ କ୍ୟାମ୍ପସ ସହିତ ଏଏମୟୁ କ୍ୟାମ୍ପସକୁ ୫ ଜାନୁଆରୀ ଯାଏଁ ବନ୍ଦ ରଖିବାକୁ ଘୋଷଣା କରାଯାଇଛି।

ସୂଚନା ଅନୁସାରେ ରବିବାର ରାତ୍ରିରେ ୫୦ଜଣ ଛାତ୍ରୀଙ୍କୁ ପୁଲିସ ଧରି ନେଇ ଥାନାରେ ପ୍ରାୟ ଛଅ ଘଣ୍ଟା ଅଟକ ରଖଥିଲା । ଏଥିସହ ପରିସ୍ଥିତି ଏଭଳି ଭୟଙ୍କର ହୋଇଥିଲା କି, ଜାମିଆ ମିଲିଆ ଇସଲାମିଆର ଛାତ୍ର କୁହାଯାଉଥିବା ପ୍ରତିବାଦକାରୀମାନେ ରବିବାର ଦିନ ତିନୋଟି ବସ୍ ପୋଡ଼ି ଦେଇଥିଲେ ।

ଦମକଳ ଗାଡି ଉପରକୁ ମଧ୍ୟ ଆକ୍ରମଣ କରିଥିଲେ । ଏଥିରେ ମୋଟ ୬ ଜଣ ପୁଲିସ ଓ ଦୁଇଟି ଅଗ୍ନିଶମ ସେବା କର୍ମଚାରୀ ଆହତ ହୋଇଥିଲେ । ଏଥି ସହିତ ପ୍ରତିବାଦ ଶେଷ କରିବାକୁ ଦିଲ୍ଲୀ ପୁଲିସ ପ୍ରତିବାଦକାରୀମାନଙ୍କୁ ନିବେଦନ କରିବା ସହ କହିଥିଲେ କି, ପ୍ରତିବାଦକାରୀମାନଙ୍କୁ ସେମାନଙ୍କ ରହଣି ସ୍ଥାନରେ ଛାଡି ଦେବାକୁ ବ୍ୟବସ୍ଥା କରାଯାଇଛି । ସେହିଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟରେ ମିରଠ, ବୁଲନ୍ଦସହର, କାମଗଞ୍ଜ, ବାଗପଥ, ସହାରନପୁର ଏବଂ ବରେଲୀରେ ୧୪୪ ଧାରା ଲାଗୁ କରାଯାଇଛି । ଜାମିଆ ଛାତ୍ର ଓ ପୋଲିସ ମଧ୍ୟରେ ହୋଇଥିବା ଗଣ୍ଡଗୋଳ ପରେ ଦିଲ୍ଲୀରେ ଟ୍ରାଫିକ୍ ପୋଲିସ ସରୀତା ବିହାରରୁ କାଳନ୍ଦୀ କୁଞ୍ଜ ଯାଏଁ ଟ୍ରାଫିକ ସେବା ବନ୍ଦ ରଖିଛି ।

ସେହିପରି ଜାମିଆର ଛାତ୍ରଛାତ୍ରୀମାନେ ଯେଉଁ ପର୍ଯ୍ୟନ୍ତ ସେମାନଙ୍କୁ ନ୍ୟାୟ ନମିଳିଛି ଓ ଅଟକ ଥିବା ଛାତ୍ରଛାତ୍ରୀଙ୍କୁ ନଛଡ଼ା ଯାଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି।