ମୀରଟ: ଉତ୍ତରପ୍ରଦେଶର ବୁଲନ୍ଦସହରରେ ନାଗରିକତା ସଂଶୋଧନ ଆଇନ୍ (ସିଏଏ) ବିରୋଧରେ ଆନ୍ଦୋଳନ ସମୟରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ଏହି କ୍ଷତି ଭରଣା କରିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ବାସିନ୍ଦାଙ୍କୁ ନୋଟିସ ଜାରି କରାଯିବା ପରେ ସମ୍ପୃକ୍ତ ଜନସାଧାରଣ ସାଧାରଣ ସମ୍ପତ୍ତି ନଷ୍ଟ ହୋଇଥିବାରୁ ଅନୁତପ୍ତ ହୋଇ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ୬.୨୭ ଲକ୍ଷ ଟଙ୍କାର ଏକ ଡିମାଣ୍ଡ୍ ଡ୍ରାଫ୍ଟ ପ୍ରଦାନ କରିଛନ୍ତି। ବୁଲନ୍ଦସହରର ଉପରକୋଟ ଅଞ୍ଚଳର ବାସିନ୍ଦାମାନେ ସ୍ୱେଚ୍ଛାକୃତ ଭାବରେ ଏପରି କରିଛନ୍ତି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ସେହି ଅଞ୍ଚଳର ଏକ ପ୍ରତିନିଧିଦଳ ଜିଲ୍ଲାପାଳ ରବୀନ୍ଦ୍ର କୁମାର ଓ ବରିଷ୍ଠ ଏସପି ସନ୍ତୋଷ କୁମାର ସିଂହଙ୍କୁ ଭେଟି ଏହି ଡିମାଣ୍ଡ୍ ଡ୍ରାଫ୍ଟ ପ୍ରଦାନ କରିଛନ୍ତି। ଗତ ଡିସେମ୍ବର ୨୦ରେ ବୁଲନ୍ଦସହର ଅଞ୍ଚଳରେ ସିଏଏକୁ ବିରୋଧ କରି ଆନ୍ଦୋଳନକାରୀମାନେ ସାଧାରଣ ସମ୍ପତ୍ତି ନଷ୍ଟ କରିଥିଲେ। ସେହି ଅଞ୍ଚଳର ରାଜନେତା ସକିଲଉଲ୍ଲାଙ୍କ ନେତୃତ୍ୱରେ କୋଟୱାଲି ସହରର ମୁସଲିମ୍ ସମ୍ପ୍ରଦାୟ ଜିଲ୍ଲାପାଳଙ୍କୁ ଏହି କ୍ଷତିପୂରଣ ପ୍ରଦାନ କରିଛନ୍ତି।
ଏସ୍ଏସ୍ପି ସନ୍ତୋଷ କୁମାର ସିଂହ କହିଛନ୍ତି, ଏହା ଏକ ସକାରାତ୍ମକ ପଦକ୍ଷେପ। ଏଭଳି କ୍ଷେତ୍ରରେ ଆନ୍ଦୋଳନକାରୀଙ୍କୁ ଆଉ ବାରମ୍ବାର ନୋଟିସ୍ ପଠାଇବାର ଆବଶ୍ୟକତା ପଡ଼ିବ ନାହିଁ। ଉଲ୍ଲେଖଯୋଗ୍ୟ ଯେ, ଡିସେମ୍ବର ୨୦ରେ ଆନ୍ଦୋଳନକାରୀମାନେ ଏକ ପୁଲିସ ଭ୍ୟାନ୍ ପୋଡ଼ି ଦେଇଥିଲେ। ସେହି ମଡେଲର ଭ୍ୟାନ୍ ଆଉ ଉପଲବ୍ଧ ହେଉନାହିଁ। ତେଣୁ ସ୍ଥାନୀୟ ବାସିନ୍ଦା ପ୍ରଶାସନକୁ ଏ ବାବଦରେ କ୍ଷତିପୂରଣ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲେ।