ଲକ୍ଷ୍ନୌ,ଏଜେନ୍ସି: ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ସାରା ରାଜ୍ୟ ଜଳୁଥିବା ବେଳେ ଉତ୍ତରପ୍ରଦେଶରେ ହିଂସା ଉଗ୍ର ରୂପ ନେବାରେ ଲାଗିଛି। ଏ ନେଇ ରାଜ୍ୟର ୨୧ଟି ଜିଲ୍ଲାରେ ଶନିବାର ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି। ଏଥି ସହିତ ସମସ୍ତ ସ୍କୁଲ ଏବଂ କଲେଜ ବନ୍ଦ ରଖିବାକୁ ଘୋଷଣା ହୋଇଛି। ସେହିପରି ବିଭିନ୍ନ ପରୀକ୍ଷାକୁ ମଧ୍ୟ ବାତିଲ କରାଯାଇଛି। ରାଜ୍ୟ ବ୍ୟାପୀ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯିବା ସହ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ପୁଲିସ ଛାଉଣୀ କରାଯାଇଛି।
ଗତ ଶୁକ୍ରବାର ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସା ଯୋଗୁଁ ୧୩ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମିରଟର ୪, ବିଜନୌର, କାନପୁର, ସମ୍ଭଲରେ ୨ ଜଣ ଲେଖାଏ ଏବଂ ମୁଜଫରନଗର, ଫିରୋଜାବାଦ ଓ ବାରାଣସୀରେ ଜଣେ ଲେଖାଏ ବିକ୍ଷୋଭକାରୀଙ୍କ ମୃତ୍ୟୁ ଘଟିଛି। ଆନ୍ଦୋଳନ ସମୟରେ ବିକ୍ଷୋଭକାରୀମାନେ ୩ଟି ଥାନାରେ ନିଆଁ ଲଗାଇ ଦେଇଥିବାବେଳେ ବହୁ ଯାନବାହନ ପୋଡ଼ି ଦେଇଛନ୍ତି। ପୁଲିସ ଉପରକୁ ପଥର ମାଡ଼ ଯୋଗୁ ୫୦ରୁ ଅଧିକ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ପୁଲିସ ୨୦୦ ବିକ୍ଷୋଭକାରୀଙ୍କୁ ଗିରଫ କରିନେଇଥିବାବେଳେ ୩୫୦୫ ଜଣଙ୍କୁ ଅଟକ ରଖିଛି।