ମହାକାଶ ଯିବ ବ୍ୟୋମମିତ୍ର

ବେଙ୍ଗାଲୁରୁ: ଗଗନଯାନରେ ମଣିଷ ଯିବା ପୂର୍ବରୁ ମହାକାଶର ସ୍ଥିତିକୁ ଭଲ ଭାବରେ ବୁଝିବା ଲାଗି ‘ବ୍ୟୋମମିତ୍ର’କୁ ପଠାଯିବ। ଏହି ବ୍ୟୋମିତ୍ରା ହେଉଛି ଏକ ରୋବୋଟ୍‌, ଯାହା ଏକ ମଣିଷ ଆକୃତିର। ଏହାର ନାମ ରଖାଯାଇଛି ‘ବ୍ୟୋମମିତ୍ର’। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ)ର ପ୍ରଥମ ମାନବ ମହାକାଶ ଯାନ କାର୍ୟ୍ୟକ୍ରମ ‘ଗଗନଯାନ’ ଅଭିଯାନ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ୪ ଜଣ ମହାକାଶଚାରୀ ଏହି ଯାନରେ ମହାକାଶକୁ ଯିବେ। ସେମାନଙ୍କୁ ରୁଷରେ ପ୍ରଶିକ୍ଷଣ ଦିଆଯିବାର ପ୍ରକ୍ରିୟା ଆରମ୍ଭ ହୋଇଛି।

୨୦୨୨ରେ ଗଗନଯାନ ମହାକାଶକୁ ପଠାଯିବ। ତେବେ ଏହା ପୂର୍ବରୁ ‘ବ୍ୟୋମମିତ୍ର’କୁ ମହାକାଶ ପଠାଯିବ। ଗଗନଯାନରେ କୌଣସି ମହିଳାଙ୍କୁ ସାମିଲ କରାଯାଇନାହିଁ। ତେଣୁ ଏହି ରୋବୋଟକୁ ଜଣେ ମହିଳାଙ୍କ ରୂପ ଦିଆଯାଇଛି। ଇସ୍ରୋର ବୈଜ୍ଞାନିକ ଶ୍ୟାମ ଦୟାଲ କହିଛନ୍ତି, ଏହି ରୋବୋଟ ଏକ ମଣିଷ ପରି କାମ କରିବ ଏବଂ ସେଠାରୁ ଆମକୁ ରିପୋର୍ଟ ପଠାଇବ।