କରୋନା ପ୍ରଭାବ:୧ ଡଲାରରେ ବିକ୍ରି ହେଲା ନ୍ୟୁଜିଲାଣ୍ଡର ସର୍ବବୃହତ୍ ମିଡିଆ ହାଉସ୍

ନୂଆଦିଲ୍ଲୀ: ଲକଡାଉନ୍ କାରଣରୁ ସମଗ୍ର ବିଶ୍ୱରେ ଉଦ୍ୟୋଗ କ୍ଷେତ୍ରର ସ୍ଥିତି ବିଗିଡ଼ିଯାଇଛି। ଏଥିରୁ ନ୍ୟୁଜିଲାଣ୍ଡର ଗଣମାଧ୍ୟମ ସଙ୍ଗଠନ ମଧ୍ୟ ବାଦ ପଡ଼ିନାହିଁ। ନ୍ୟୁଜିଲାଣ୍ଡର ସର୍ବବୃହତ୍ ମିଡିଆ ହାଉସ୍ ‘ଷ୍ଟଫ୍’କୁ ମାତ୍ର ୧ ଡଲାର (ଯାହା ଭାରତୀୟ ମୁଦ୍ରାରେ ୪୬.୮୦ ଟଙ୍କା ହେବ)ରେ ବିକ୍ରି କରାଯାଇଥିବା ଜଣାପଡ଼ିଛି। ଷ୍ଟଫର ମାଲିକ ଏହି ମିଡିଆ ହାଉସ୍କୁ ଏହାର ସିଇଓଙ୍କୁ ବିକ୍ରି କରିଛନ୍ତି। ଷ୍ଟଫ୍ ନାମକ ଏହି ଗଣମାଧ୍ୟମ ସଂଗଠନ ଦେଶରେ ଅନେକ ଖବରକାଗଜକୁ ଛାପିବା ସହିତ ଏହାର ଏକ ଲୋକପ୍ରିୟ ନ୍ୟୁଜ୍ ୱେବସାଇଟ୍ ମଧ୍ୟ ରହିଛି। ଏଥିରେ ୪୦୦ ସାମ୍ବାଦିକଙ୍କ ସମେତ ମୋଟ ୯୦୦ ଜଣ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଅଷ୍ଟ୍ରେଲିଆର ନାଇନ୍ ଏଣ୍ଟରଟେନମେଣ୍ଟର ନେତୃତ୍ୱାଧୀନ ଷ୍ଟଫ୍ କରୋନା ମହାମାରୀ ପୂର୍ବରୁ ହିଁ ବିତ୍ତୀୟ ସମସ୍ୟା ଦେଇ ଗତି କରୁଥିଲା। ଅଷ୍ଟ୍ରେଲିଆର ସେୟାର ବଜାରକୁ ଦିଆଯାଇଥିବା ବିବୃତିରେ ନାଇନ୍ ଏଣ୍ଟରଟେନମେଣ୍ଟ କହିଛି ଯେ ଷ୍ଟଫର ସିଇଓ ସିନେଡ୍ ବୋଚରଙ୍କୁ ଏହାକୁ ବିକ୍ରି କରାଯିବ ଏବଂ ମାସ ଶେଷ ସୁଦ୍ଧା ଏ ସମ୍ବନ୍ଧିତ ସମସ୍ତ କାର୍ଯ୍ୟ ପୁରା କରାଯିବ। ନାଇନର ସିଇଓ ହ୍ୟୁଘ୍ ମାର୍କସ୍ କହିଛନ୍ତି ଯେ, ଷ୍ଟଫର ସ୍ଥାନୀୟ ମାଲିକାନା ରହିବା ବେଶ୍ ଗୁରୁତ୍ୱପୂର୍ଣ୍ଣ ଏବଂ ନ୍ୟୁଜିଲାଣ୍ଡରେ ପ୍ରତିଯୋଗିତା ଓ ଉପଭୋକ୍ତା ହିସାବରେ ଏହା ସଠିକ ସାବ୍ୟସ୍ତ ହେବ। ଏହା ପୂର୍ବରୁ ପ୍ରତିଦ୍ୱନ୍ଦ୍ୱୀ ଗଣମାଧ୍ୟମ କମ୍ପାନୀ ଏନଜେଡଏମଇ ଷ୍ଟଫକୁ କିଣିବାକୁ ଇଚ୍ଛୁକ ଥିଲା।