ଭଞ୍ଜନଗରରେ ମିନି ବସ୍ ଓଲଟି ୧ ମୃତ, ୧୫ ଗୁରୁତର

ଗଞ୍ଜାମ,ଏନ୍ଏନ୍ଏସ୍: ଗଞ୍ଜାମ ବସ୍ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୫ଜଣ ଯାତ୍ରୀ ଆହତ ହୋଇଛନ୍ତି। ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଅନ୍ତର୍ଗତ ଗାଙ୍ଗପୁର ନିକଟରେ ଏକ ମିନି ବସ୍‌ ଓଲଟି ପଡ଼ିଛି। ତେବେ ଏହି ସମୟରେ ବସଟିରେ କେତେକ ଯାତ୍ରୀ ଥିବାବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ୧୫ଜଣ ଆହତ ହୋଇଥିବା ଜଣାପଡ଼ିଛି। ମୃତ ବ୍ୟକ୍ତି ହେଉଛନ୍ତି ଗୋବର୍ଦ୍ଧନ ଜେନା।

ବେଲଗୁଣ୍ଠା ବ୍ଲକ୍‌ ଅନ୍ତର୍ଗତ ତନରଡ଼ା ଗ୍ରାମର ଟୁକୁନା ଜେନାଙ୍କ ନିର୍ବନ୍ଧ ପାଇଁ ସନ୍ଧ୍ୟା ବେଳେ ମିନି ବସ୍‌ ଯୋଗେ ପ୍ରାୟ ୪୦ ଜଣ ବ୍ୟକ୍ତି ବୋରି ଗ୍ରାମକୁ ଯାଇଥିଲେ। ନିର୍ବନ୍ଧ ଅନ୍ତେ ସେମାନେ ପୁଣି ତନରଡ଼ା ଫେରିବା ବେଳେ କୌଣସି କାରଣରୁ ବସ୍‌ଟି ଚାଳକଙ୍କ ନିୟନ୍ତ୍ରଣ ବାହାରକୁ ଯାଇ ରାସ୍ତା ପାର୍ଶ୍ୱସ୍ଥ ବିଲ ମଧ୍ୟକୁ ଓଲଟି ପଡ଼ିଲା।

ଗାଙ୍ଗପୁର ପୁଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବସ୍‌ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ଚିକିତ୍ସା ନିମନ୍ତେ ଆହତମାନଙ୍କୁ ଆମ୍ବୁଲାନ୍‌ସ୍‌ ଯୋଗେ ଗୋବରା, ଭଞ୍ଜନଗର ଓ ବ୍ରହ୍ମପୁର ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ଗୋବର୍ଦ୍ଧନଙ୍କୁ ମୃତ ଘୋଷଣା କରିଥିଲେ।