ଆମାଜନରେ ମିଳିବ ବସ୍, ଟ୍ରେନ୍ ଓ ହୋଟେଲ୍ ବୁକିଂ ସୁବିଧା

ବେଙ୍ଗାଲୁରୁ: ଏଣିକି ପ୍ରମୁଖ ଅନ୍ଲାଇନ୍ ଶପିଂ କମ୍ପାନୀ ଆମାଜନରୁ ଗ୍ରାହକମାନେ ବସ୍ କିମ୍ବା ଟ୍ରେନ୍ ଟିକେଟ୍ କିଣିବା ସହିତ ହୋଟେଲ୍ ରୁମ୍ ବୁକ୍ କରିପାରିବେ ବୋଲି ଜଣାପଡ଼ିଛି। ଏହି ପ୍ରମୁଖ ଇ-ବାଣିଜ୍ୟ କମ୍ପାନୀ ଏହାର ପେମେଣ୍ଟ ପ୍ଲାଟଫର୍ମ ଆମାଜନ୍ ପେ’ ଜରିଆରେ ଭାରତରେ ଏକ ସୁପର୍ ଆପ୍ ନିର୍ମାଣ କରିଛି। ଏହା ଅନ୍ତର୍ଗତ ବସ୍ ଓ ଟ୍ରେନ୍ ଟିକେଟ୍ ବୁକ୍ କରିବା ସହିତ ହୋଟେଲ୍ ରୁମ୍ ବୁକ୍ କରିବାର ସୁବିଧା ଉପଲବ୍ଧ ହେବ।

କମ୍ପାନୀ ଏହା ପୂର୍ବରୁ ବିମାନ (କ୍ଲିଅରଟ୍ରିପ୍) ଏବଂ ଫିଲ୍ମ ଟିକେଟ୍ (ବୁକ୍ ମାଇଁ ଶୋ’) ବୁକିଂର ଶୁଭାରମ୍ଭ କରିଥିବାବେଳେ ରେଡବସ୍ ଜରିଆରେ ବସ୍ ଟିକେଟ୍ ବୁକ୍ କରିବା ଲାଗି ଯୋଜନା ଚାଲିଛି। ଏହାସହ ହୋଟେଲ୍ ରୁମ୍ ଏବଂ ଟ୍ରେନ୍ ଟିକେଟ୍ ବୁକ୍ କରିବା ଲାଗି ଅନ୍ୟ ପ୍ଲାଟଫର୍ମ ସହିତ ଆଲୋଚନା କରାଯାଇଛି ବୋଲି କମ୍ପାନୀ ତରଫରୁ ସୂଚିତ କରାଯାଇଛି। ଏହାକୁ ଶୁଭାରମ୍ଭ କରାଯିବା ଦ୍ୱାରା ୱାଲମାର୍ଟ ନିୟନ୍ତ୍ରଣାଧୀନ ଫୋନ୍ ପେ’କୁ ଜୋରଦାର୍ ଟକ୍କର ମିଳିବ ବୋଲି ଅନୁମାନ କରାଯାଉଛି।