ଗଞ୍ଜାମ ବସ୍ ଟ୍ରାଜେଡିରେ ବିଦ୍ୟୁତ୍ ବିଭାଗକୁ ଦାୟୀ କଲା ପରିବହନ ବିଭାଗ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଗଞ୍ଜାମ ଗୋଳନ୍ଥରା ବସ୍‌ ଦୁର୍ଘଟଣାକୁ ନେଇ ଜୋର ଧରିଛି ରାଜନୀତି । ଆଜି ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୧୦ରେ ପହଞ୍ଚିଥିବା ବେଳେ ଆହୁରି ଅନେକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ତେବେ ଏହାକୁ ନେଇ ରାଜନୀତି ଜୋର ଧରିଛି । ପରିବହନ ବିଭାଗ ପକ୍ଷରୁ ଶିକ୍ତି ବିଭାଗକୁ ସମ୍ପୂର୍ଣ୍ଣ ଦାୟୀ କରାଯାଇଛି । ଶକ୍ତି ବିଭାଗ ନିଜ ଦାୟିତ୍ୱ ତୁଲାଇବାରେ ଅବହେଳା କରିଥିବାରୁ ଏଭଳି ଦୁର୍ଘଟଣା ଘଟିଛି ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି । ଶକ୍ତି ବିଭାଗ ଏଥିପ୍ରତି ଦୃଷ୍ଟି ଦେବା ଆବାଶ୍ୟକ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

ସେପଟେ କଂଗ୍ରେସ ମଧ୍ୟ ରାଜ୍ୟ ସରକାରଙ୍କୁ ଏଥିପାଇଁ ଟାର୍ଗେଟ କରିଛି । ଶକ୍ତିମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ସହ ଯେଉଁ ଅଧିକାରୀଙ୍କ ଅବହେଳା ଯୋଗୁଁ ଏଭଳି ଘଟିଛି ସେମାନଙ୍କ ବିରାଧରେ ୩୦୨ ଦଫା ଲଗାଇବାକୁ କହିଛନ୍ତି କଂଗ୍ରେସର ବରିଷ୍ଠ ନେତା ସନ୍ତୋଷ ସିଂହ ସାଲୁଜା । ସେ ଆହୁରି କହିଛନ୍ତି ଯେ, ପୂର୍ବରୁ ବିଦ୍ୟୁତ ସଂସ୍ପର୍ଶରେ ଆସି ହାତୀ ମୃତ୍ୟୁ ଖବର ଆସିଥିଲେ ମଧ୍ୟରେ ଶକ୍ତି ବିଭାଗ ଏହାକୁ ଗୁରୁତ୍ୱର ସହ ନେଇ ନାହିଁ । ଅନ୍ୟପଟେ କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ କହିଛନ୍ତି ବସ୍‌ ଦୁର୍ଘଟଣା ପାଇଁ ସରକାଣଙ୍କ ସମସ୍ତ ବିଭାଗ ଦାୟୀ । ଏହି ଘଟଣାର ସନ୍ତୋଷଜନକ ସମାଧାନ ନହେଲେ ଆଗାମୀ ଦିନରେ ଜୋରଦାର ବିରୋଧ ପ୍ରଦର୍ଶନ କରାଯିବ ବୋଲି ଦେବାଶୀଷ ଚେତାବନୀ ଦେଇଛନ୍ତି ।