ନେତାଜୀଙ୍କ ନାମରେ ନାମିତ ହେବ ବସ୍ ଟର୍ମିନାଲ

ବ୍ୟୟ ହେବ ୬୫ କୋଟି

ଭୁବନେଶ୍ୱର,ଏନ୍ଏନ୍ଏସ୍: କଟକ ଖାନନଗରରେ ଅତ୍ୟାଧୁନିକ ବସ୍ ଟର୍ମିନାଲ ନିର୍ମାଣ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି। ଏହି ବସ୍ ଟର୍ମିନାଲ ମହାନ୍ ସଂଗ୍ରାମୀ ନେତାଜୀ ସୁଭାଷ ବୋଷଙ୍କ ନାମରେ ନାମିତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ବାଦାମବାଡ଼ି ବସଷ୍ଟାଣ୍ଡରେ ସ୍ଥାନାଭାବ ଦୃଷ୍ଟିରୁ ଖାନନଗରରେ ୧୨ ଏକର ପରିମିତ ସ୍ଥାନରେ ପ୍ରତିଷ୍ଠା ହେବ ଏହି ଅତ୍ୟାଧୁନିକ ବସ୍ ଟର୍ମିନାଲ। ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମ ଅଧୀନରେ ବସ୍ ଟର୍ମିନାଲ କାର୍ଯ୍ୟକାରୀ କରାଯିବ। ଏଥିରେ ଖର୍ଚ୍ଚ ହେବ ୬୫ କୋଟି ଟଙ୍କା। ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହା ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏଥିରେ ଯାତ୍ରୀଙ୍କର ସୁବିଧା ପାଇଁ ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା ରହିବ। ବିଶେଷକରି ଏକ ବୃହତ ଟର୍ମିନାଲ ବିଲ୍ଡିଂ, ସାଧାରଣ ଯାତ୍ରୀବାହୀ ବସ୍ ପାଇଁ ସ୍ଥାନ, ସ୍ଥାନୀୟ ଓ ମୋ ବସ୍ ସେବା ପାଇଁ ସ୍ଥାନ, ଯାନ ମରାମତି ଓ ରକ୍ଷଣାବେକ୍ଷଣ ବ୍ଲକ୍, ଚାରି ଚକିଆ ଯାନ ଓ ଅଟୋ ପାଇଁ ସ୍ୱତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯିବ। ସେହିପରି ୧ ଲକ୍ଷ ୧୮ ହଜାର ବର୍ଗ ଫୁଟରେ ୩ ମହଲା ବିଶିଷ୍ଟ ଟର୍ମିନାଲ ବିଲ୍ଡିଂ ନିର୍ମାଣ କରାଯିବ। ଯାତ୍ରୀ ବିଶ୍ରାମସ୍ଥଳ, ଫୁଡ୍ କୋର୍ଟ, ଟିକେଟ ଗୃହ, ଇ-ଯାନ ଚାର୍ଜିଂ ପଏଣ୍ଟ, ଛାତ ଉପରେ ବର୍ଷା ଜଳ ସଂରକ୍ଷଣ ଓ ସୌର ପ୍ୟାନେଲ ବି ରଖାଯିବ। ଏହି ଟର୍ମିନାଲରେ ଏକ ସମୟରେ ୧୮୦ଟି ବସ୍ ପାର୍କିଂର ବ୍ୟବସ୍ଥା ରହିବ। ଯାତ୍ରୀଙ୍କ ସୁବିଧା ପାଇଁ ‘ଇଣ୍ଟିଗ୍ରେଟେଡ୍ ଇନ୍ଫରମେସନ ମ୍ୟାନେଜମେଣ୍ଟ ସିଷ୍ଟମ (ଆଇଆଇଏମଏସ୍) କାର୍ଯ୍ୟକାରୀ କରାଯିବ। କଟକର ରିଙ୍ଗ ରୋଡକୁ ଆଉ ଦୁଇ କିଲୋମିଟର ସଂପ୍ରସାରଣ କରାଯିବ।
ମୁଖ୍ୟମନ୍ତ୍ରୀ କହିଥିଲେ, ଆଗାମୀ ୨୩ରେ ନେତାଜୀଙ୍କ ଜୟନ୍ତୀ ପାଳନ କରାଯିବ। ଚଳିତ ବର୍ଷ ସମଗ୍ର ଦେଶ ନେତାଜୀଙ୍କର ୧୨୫ତମ ଜୟନ୍ତୀ ପାଳନ କରିବାକୁ ଯାଉଛି। ଆମ ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ସେନାପତି ଓ ମହାନ୍ ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ କଟକ ଓଡ଼ିଆ ବଜାରରେ ଜନ୍ମଗ୍ରହଣ କରିଥିଲେ ଏବଂ କଟକରେ ବାଲ୍ୟ ଶିକ୍ଷା ଲାଭ କରିଥିଲେ। ଏହି ଅତ୍ୟାଧୁନିକ ବସ୍ ଟର୍ମିନାଲରେ ନେତାଜୀଙ୍କ ଜୀବନ ଓ ସଂଗ୍ରାମ ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ଏକ ସ୍ୱତନ୍ତ୍ର କିଓସ୍କ କରାଯିବ। ଟର୍ମିନାଲର ବିଭିନ୍ନ ସ୍ଥାନରେ ନେତାଜୀଙ୍କ ଆଦର୍ଶ ଓ ଜୀବନୀ ସଂପର୍କରେ ପ୍ରଚାର ପ୍ରସାର ପାଇଁ ବିଭିନ୍ନ ଫଟୋ ଚିତ୍ର ଓ ତୈଳ ଚିତ୍ର ପ୍ରଦର୍ଶିତ ହେବ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ ପାଣ୍ଡିଆନ ଏହି କାର୍ଯ୍ୟକ୍ରମକୁ ସଂଚାଳନା କରିଥିବାବେଳେ ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପି କେ ଜେନାଙ୍କ ସମେତ ଗୃହ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ, ପୂର୍ତ୍ତ ସଚିବ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ, ଅର୍ଥ ବିଭାଗର ପ୍ରମୁଖ ସଚିବ ଏବଂ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର, କଟକ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ।