କଟକ,ଏନ୍ଏନ୍ଏସ୍: ରାଜ୍ୟରେ ଡିଜେଲ ଦର ହ୍ରାସ ପାଇବା ପରେ କମିଲା ବସ ଭଡ଼ା। ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଜାରି ହୋଇଥିବା ଏକ ନୋଟିସରେ ଏନେଇ ଉଲ୍ଲେଖ ରହିଛି। ୫ରୁ ୧୫ ପଇସା ପର୍ଯ୍ୟନ୍ତ ବସ୍ ଭଡ଼ା କମାଇଛି ପରିବହନ ବିଭାଗ।
ସାଧାରଣ ବସ୍ ଭଡ଼ା କିଲୋମିଟରକୁ ୫ ପଇସା କମିଟି। ପୂର୍ବରୁ ୯୨ ପଇସା ପ୍ରତି କିଲୋମିଟର ଥିବାବେଳେ ଏବେ ୮୭ ପଇସା ହୋଇଛି। ସେହିପରି ଏକ୍ସପ୍ରେସ ବସ୍ ଭଡା ୫ ପଇସା କମି କିଲୋମିଟରକୁ ୯୧ ପଇସା ହୋଇଛି। ଡିଲକ୍ସ ଭଡ଼ା ୧୦ ପଇସା କମି କିଲୋମିଟରକୁ ୧୨୫ ହୋଇଥିବା ବେଳେ ଏସି ଡିଲକ୍ସ ଭଡ଼ା ୧୦ ପଇସା କମି ୧୫୩ ପଇସା ହୋଇଛି। ସେହିପରି ସୁପର ପ୍ରିମିୟର ୧୫ ପଇସା କମି କିଲୋମିଟର ପିଛା ୨୩୮ ପଇସା ହୋଇଛି।
ସୂଚନାଯୋଗ୍ୟ, ଅକ୍ଟୋବର ମାସରେ ଡିଜେଲ ଲିଟର ୧୦୨ ଟଙ୍କା ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା। କେନ୍ଦ୍ର ଓ ରାଜ୍ୟ ସରକାର ମୂଲ୍ୟ ହ୍ରାସ କରିବା ପରେ ଏବେ ଏହାର ମୂଲ୍ୟ ୯୧ ଟଙ୍କାକୁ ଖସି ଆସିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ ବିଭାଗ ବସ୍ ଭଡ଼ା କମାଇଛି।