ତପ୍ତପାଣି ଘାଟିରେ ବସ୍‌ ଓଲଟି ୮ ମୃତ

ଗଞ୍ଜାମ,ଏନ୍ଏନ୍ଏସ୍: ଗଞ୍ଜାମ ଜିଲ୍ଲାର ତପ୍ତପାଣି ଘାଟି ପାଳୁଖୋଳା ନିକଟରେ ବୁଧବାର  ଏକ ବସ୍‌ ବ୍ରିଜ ତଳକୁ ଖସିପଡ଼ିଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ୮ଜଣଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ଗତକାଲି ରାତ୍ରିରେ ତପ୍ତପାଣି ଘାଟିରେ ବସଟି ଭାରସାମ୍ୟ ହରାଇ ନିକଟରେ ଥିବା ପାଳୁଖୋଳା ଘାଟିକୁ ଖସିପଡ଼ିଥିଲା। ତଳେ ପାଣି ରହିଥିବାରୁ ବସଟି ଓଲଟି ପାଣିରେ ପଶି ଯାଇଛି। ଏହି ଦୁର୍ଘଟଣାରେ ୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ସେହିପରି ଦୁର୍ଘଟଣାସ୍ଥଳରେ ପାଣି ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ସୂଚନା ମିଳିଛି। ତେବେ ବସ୍‌ ତଳେ ଆହୁରି କେତେଜଣ ଫଶି ରହିଥିବା କୁହାଯାଉଛି।

ମୃତ ମାନଙ୍କ ମଧ୍ୟରୁ ୪ ଜଣଙ୍କର ପରିଚୟ ମିଳିଥିବା ବେଳେ ସେମାନେ ହେଲେ କବିସୂର୍ଯ୍ୟନଗରର କରିସ୍ମା ନାୟକ, କୋଦଳାର ଏଲ୍. ରମେଶ, ରାୟଗଡ଼ାର ବିଦ୍ୟୁତ ନାୟକ ଏବଂ ପୁତାବଗଡ଼ର ଝୁନୁ ବେହେରା। ସେହିପରି ଏହି ଦୁର୍ଘଟଣାରେ ଅନେକ  ଆହତ ହୋଇଥିବା ବେଳେ ସେମାନଙ୍କୁ ଆହତମାନଙ୍କୁ ଦିଗପହଣ୍ଡି ମେଡିକାଲ ଏବଂ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଚିକିତ୍ସାକୁ ନେଇ ଆହତଙ୍କ ସମ୍ପର୍କୀୟମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଚିକିତ୍ସାରେ ବିଳମ୍ବ କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଏମ୍‌କେସିଜି ଅଧୀକ୍ଷକ ସନ୍ତୋଷ ମିଶ୍ର ଗଣମାଧ୍ୟମକୁ କହିଛନ୍ତି ଯେ ଏମକେସିଜିରେ  ୧୪ ଯାତ୍ରୀ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ପର୍ଯ୍ୟାପ୍ତ ଔଷଧ ଥିବାରୁ ଚିକିତ୍ସାରେ ଅସୁବିଧା ହେବନାହିଁ। ବିଭାଗୀୟ ଡାକ୍ତରମାନେ ଗୁରୁତର ଆହତମାନଙ୍କୁ ଚିକିତ୍ସା କରୁଛନ୍ତି ବୋଲି କହିଛନ୍ତି। ସେହିପରି ଦିଗପହଣ୍ଡିମେଡିକାଲ୍‌ରେ ଅନ୍ୟ ଆହତଙ୍କ ଚିକିତ୍ସା ଚାଲିଛି। ଗଣମାଧ୍ୟମକୁ ଦକ୍ଷିଣାଞ୍ଚଳ ଡିଆଇଜି କହିଛନ୍ତି, ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟକୁ  ତ୍ଵରାନ୍ଵିତ କରାଯାଇଛି। ଏସପି ଏବଂ ଏସଡିପିଓ ଦୁର୍ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରୁଛନ୍ତି। ଦୁର୍ଘଟଣା ପରେ ଆହତମାନଙ୍କୁ ଉଦ୍ଧାର କରିବା ଲାଗି ପାଟପୁର ପୁଲିସ, ମୋହନା ଓ ସାନଖେମୁଣ୍ଡି ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

 ତେବେ କୁହୁଡ଼ି ଯୋଗୁ ଏହି ଦୁର୍ଘଟଣା ଘଟିଥିବା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି। ଦୁର୍ଘଟଣାକୁ ନେଇ ମନ୍ତ୍ରୀ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି, ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଗ୍ୟାସ୍‌ କଟରରେ ବସ୍‌କୁ କାଟି ଲୋକଙ୍କୁ ବାହାର କରାଯାଉଛି। ଆହତଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇଦେବାକୁ ନିର୍ଦେଶ ଦିଆଯାଇଛି। ତପ୍ତପାଣି ଘାଟିକୁ ବ୍ଲାକସ୍ପଟ ଭାବେ ଚିହ୍ନଟ କରାଯାଇଛି। ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇ ଏହି ଦୁର୍ଘଟଣାର ତଦନ୍ତ କରାଯିବ। ଆରଟିଓ ଏବଂ ଏମଭିଆଇ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରୁଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ଅନ୍ୟପଟେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ମେଡିକାଲରେ ଆହତମାନଙ୍କୁ ଭେଟିବା ସହିତ ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଛନ୍ତି।