ତାମିଲନାଡୁରେ ତାଣ୍ଡବ ରଚିବାକୁ ମାଡି ଆସୁଛି ବାତ୍ୟା ‘ବୁରେଭି’

ଚେନ୍ନାଇ,ଏଜେନ୍ସି: ନିଭାର ପରେ ଏବେ ତାମିଲନାଡୁ ଉପରେ ଘନଉଛି ଆଉ ଏକ ବାତ୍ୟାର ବିପଦ। ଡିସେମ୍ବର ୪ରେ ବାତ୍ୟା ନେଇ ଆଶଙ୍କା ପ୍ରକଟ କରିଛି ଭାରତୀୟ ପାଣିପାଗ ବିଭାଗ। ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ସାମୁଦ୍ରିକ ଝଡ ଧିରେ ଧିରେ ବାତ୍ୟାର ରୂପ ନେବାରେ ଲାଗିଛି। ଏହି ସମ୍ଭାବ୍ୟ ବାତ୍ୟାର ନାଁ ରଖାଯାଇଛି ବୁରେଭି।

ସମ୍ଭାବ୍ୟ ବାତ୍ୟା ବୁରେଭି ଡିସେମ୍ବର ୪ରେ ତାମିଲନାଡୁ ସମୁଦ୍ର ଉପକୂଳସ୍ଥ କନ୍ୟାକୁମାରୀ ଓ ପମ୍ବନ ମଧ୍ୟରେ ସ୍ଥଳଭାଗ ଛୁଇଁବ। ତେବେ ଏନେଇ ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ ଜାରି କରାଯାଇଛି। ବାତ୍ୟା ପ୍ରଭାବରେ କନ୍ୟାକୁମାରୀ, ତିରୁନେଭେଲି, ଥୁଟ୍ଟୁକୁଡି, ତେନକାଶୀ, ରାମନାଥପୁରମ, ଶିବଗଙ୍ଗି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏହାପୂର୍ବରୁ ନଭେମ୍ବର ୨୫ ବିଳମ୍ବିତ ରାତିରେ ତାମିଲନାଡୁରେ ତାଣ୍ଡବ ରଚିଥିଲା ବାତ୍ୟା ନିଭାର। ଏହା ପ୍ରଭାବରେ ୩ ଜଣ ପ୍ରାଣ ହରାଇଥିବା ବେଳେ ଉପକୂଳବର୍ତ୍ତୀ ଅଞ୍ଚଳରେ କଚ୍ଚା ଘର ଓ ଟେଲିଫୋନ ଖୁଣ୍ଟି ଭାଙ୍ଗି ନଷ୍ଟ ହୋଇଯାଇଥିଲା। ବାତ୍ୟା ନିଭାର ମମଲ୍ଲାପୁର ଓ କରାଇକୋଲ ମଧ୍ୟରେ ସ୍ଥଳଭାଗ ଛୁଇଁଥିଲା। ନିଭାରକୁ ଦୃଷ୍ଟିରେ ରଖି ପୂର୍ବରୁ ପ୍ରସ୍ତୁତ ରହିଥିଲା ଏନଡିଆରଏଫ। ଏଥିପାଇଁ ଏହା ପ୍ରଭାବରେ ବିଶେଷ କିଛି କ୍ଷୟକ୍ଷତି ହୋଇନଥିଲା।