ପାରାଦୀପ ଠାରୁ ୧୩୦କିମି ଦୂରରେ ‘ବୁଲବୁଲ’, ଦିନ ୧୧ଟା ସୁଦ୍ଧା ଓଡିଶା ଅତିକ୍ରମ କରିବ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ବୁଲବୁଲ’ ତୀବ୍ରତର ହେବରେ ଲାଗିଛି। ତେବେ ଏହା ଘଣ୍ଟା ପ୍ରତି ୧୭କିମି ବେଗରେ ଉତ୍ତର ଦିଗରେ ଆଗଉଥିବା ବେଳେ ଏହା ପାରାଦୀପ ଠାରୁ ୧୩୦କିଲୋମିଟର ଦୂରରେ ରହିଛି। ସେହିପରି ପଶ୍ଚିମବଙ୍ଗ ଦ୍ୱୀପରୁ ଏହା ୩୯୦କିମି ଏବଂ ବାଂଲାଦେଶର ଖେପୁପରାଠାରୁ ୫୧୦କିମି ଦୂରରେ ରହିଛି। ଆସନ୍ତାକାଲି ସକାଳ ସୁଦ୍ଧା ଏହା ଅଧିକ ତୀବ୍ର ରୂପ ଧାରଣ କରିବ। ୯ତାରିଖ ମଧ୍ୟରାତ୍ରିରେ ଭୀଷଣ ସାମୁଦ୍ରିକ ବାତ୍ୟା ରୂପ ନେବା ସହିତ ସୁନ୍ଦରବନରେ ଏହା ସ୍ଥଳଭାଗ ଛୁଇଁବ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୧୦ରୁ ୧୨୦କିଲୋମିଟର ରହିବ।

-ବାତ୍ୟା ବୁଲବୁଲ ଦିନ ୧୧ଟା ସୁଦ୍ଧା ଓଡ଼ିଶା ଅତିକ୍ରମ କରିବାର ସମ୍ଭାବନା ରହିଛି।

ଏହା ଓଡ଼ିଶା ଉପକୂଳକୁ ଛୁଉଁ ନଥିଲେ ମଧ୍ୟ ସେଠାରେ ୯୦କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏଥି ସହିତ ଉତ୍ତର ଉପକୂଳ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବ। ପାଣିପାଗ ବିଭାଗ ଅନୁସାରେ ଶନିବାର ସକାଳ ସାଢ଼େ ୮ଟା ମଧ୍ୟରେ ଉତ୍ତର ଉପକୂଳ ଓଡ଼ିଶାର ଅଧିକାଂଶ ଅଞ୍ଚଳ ଏବଂ ମୟୂରଭଞ୍ଜ, କେନ୍ଦୁଝର ଓ ଢ଼େଙ୍କାନାଳରେ ମଧ୍ୟମ ଧରଣର ବର୍ଷା ହେବ। ସେହିପରି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ।

ପାଣିପାଗ ବିଭାଗର ସୂଚନା ଅନୁସାରେ ବାଲେଶ୍ୱରରେ ୩୭.୯ଏମ୍ଏମ୍, ଭଦ୍ରକରେ ୫୪.୬ଏମ୍ଏମ୍, ଜଗତସିଂହପୁରରେ ୫୧.୬ଏମ୍ଏମ୍, ଯାଜପୁରରେ ୨୧.୭ଏମ୍ଏମ୍, କେନ୍ଦ୍ରାପଡ଼ାରେ ୭୫.୬ଏମ୍ଏମ୍, ପୁରୀରେ ୧୦.୭ଏମ୍ଏମ୍ ବର୍ଷା ହେବାର ସମ୍ଭାବନା ରହିଛି।

ଏଥିପାଇଁ ଏହି ୪ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଯାଜପୁର ଓ ମୟୂରଭଞ୍ଜ ଜିଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଏଠାରେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସମ୍ଭାବ୍ୟା ବାତ୍ୟାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବିଭିନ୍ନ ସ୍ଥାନରେ ଏନଡିଆରଏଫ୍ ଟିମକୁ ନିୟୋଜିତ କରାଯାଇଛି।