ବାଂଲାରେ ‘ବୁଲବୁଲ’ ତାଣ୍ଡବ : ୧୨ ମୃତ

୫ ମତ୍ସ୍ୟଜୀବୀ ନିଖୋଜ

ଢାକା, ଏଜେନ୍ସି : ଘୂର୍ଣ୍ଣିବାତ୍ୟା ‘ବୁଲବୁଲ’ ପ୍ରଭାବରେ ବାଂଲାଦେଶରେ ଅନ୍ୟୂନ ୧୨ ଜଣ ପ୍ରାଣ ହରାଇଛନ୍ତି ବୋଲି ସରକାରୀ ଭାବେ କୁହାଯାଇଛି। ସୋମବାର ସୁଦ୍ଧା ୫ ନିଖୋଜ ମତ୍ସ୍ୟଜୀବୀଙ୍କ ପତ୍ତା ମିଳିନି। ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରୁ ଅଧିକାଂଶ ଘରଛାଡ଼ି ନିରାପଦ ସ୍ଥାନକୁ ଯିବା ପାଇଁ ମନାକରି ଦେଇଥିଲେ। ଘର ଉପରେ ଗଛ ପଡ଼ିଯିବାରୁ ଅଧିକାଂଶ ଲୋକ ମୃତ୍ୟୁବରଣ କରିଛନ୍ତି ବୋଲି ବାଂଲା ରିଲିଫ ଥଇଥାନ ମନ୍ତ୍ରୀ ଇନାମୁର ରେହମାନ କହିଛନ୍ତି। ରବିବାର ସମୁଦ୍ରରେ ଗୋଟିଏ ଡ଼ଙ୍ଗା ବୁଡ଼ିଯିବାରୁ ଜଣେ ମତ୍ସ୍ୟଜୀବୀ ପ୍ରାଣ ହରାଇଛନ୍ତି। ଅନ୍ୟ ୫ ମତ୍ସ୍ୟଜୀବୀଙ୍କର କୌଣସି ଖୋଜଖବର ନାହିଁ। ପ୍ରାୟ ୩୦ ଜଣ ମତ୍ସ୍ୟଜୀବୀଙ୍କୁ ତଟରକ୍ଷୀ ବାହିନୀ ଉଦ୍ଧାର କରିଛି।

ପ୍ରଳୟଙ୍କରୀ ଘୂର୍ଣ୍ଣିବାତ୍ୟା ଫଳରେ ପ୍ରାୟ ୬୦୦୦ ଘର ମାଟିରେ ମିଶିଯାଇଛି। ଦକ୍ଷିଣ-ପୂର୍ବ ବାଂଲାଦେଶରେ ଆଶ୍ରୟ ନେଇଥିବା ହଜାର ହଜାର ମ୍ୟାଁମାର ଶିବିରାର୍ଥୀ ବଡ଼ଧରଣର କ୍ଷତିରେ ପଡ଼ିନାହାନ୍ତି। ସେଣ୍ଟ୍ ମାର୍ଟିନ ଦ୍ୱୀପରେ ଅଟକି ରହିଥିବା ୧୨୦୦ ପର୍ଯ୍ୟଟକଙ୍କୁ ଉଦ୍ଧାର କରିବା ପାଇଁ ସୋମବାର ଜାହାଜ ଯାତ୍ରା କରିଛି। ବିପନ୍ନଙ୍କ କ୍ଷୟକ୍ଷତି ଆକଳନ ଓ ଥଇଥାନ ପ୍ରତି ସରକାର ସର୍ବାଧିକ ଗୁରୁତ୍ୱ ପ୍ରଦାନ କରିଛନ୍ତି। ତା’ ପୂର୍ବରୁ ବିପନ୍ନଙ୍କୁ ଜରୁରିକାଳୀନ ସହାୟତା ଓ ଅସ୍ଥାୟୀ ଘର ତିଆରି ପାଇଁ ଆବଶ୍ୟକ ଉପକରଣ ଯୋଗାଇ ଦିଆଯିବ। ଭାରତର ପଶ୍ଚିମବଙ୍ଗରେ ‘ବୁଲବୁଲ’ ପ୍ରାୟ ୭ ଜଣଙ୍କୁ ମୃତ୍ୟୁ ମୁଖରେ ପକାଇଛି। ପ୍ରତିବର୍ଷ ଏପ୍ରିଲରୁ ଡିସେମ୍ବର ପର୍ଯ୍ୟନ୍ତ ବଙ୍ଗୋପସାଗରରେ ଘୂର୍ଣ୍ଣିଝଡ଼ ଋତୁ ଦେଖିବାକୁ ମିଳିଥାଏ। ୧୯୯୯ରେ ଓଡ଼ିଶାରେ ମହାବାତ୍ୟା ଘଟିବା ଫଳରେ ପ୍ରାୟ ୧୦ ହଜାର ଲୋକ ପ୍ରାଣ ହରାଇଥିଲେ।