ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀରେ ଡୁପ୍ଲେକ୍ସ ଘର ଦେବା ନାଁରେ ୫ କୋଟିରୁ ଊଦ୍ଧ୍ୱର୍ ଟଙ୍କା ଠକେଇ କରିଥିବା ଅଭିଯୋଗରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଜଣେ ବିଲ୍ଡରଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ କେଶରୀ ଇଷ୍ଟେଟ୍ ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶକ ଅକ୍ଷୟ କୁମାର ଚୌଧୁରୀ। ଏନେଇ ଇଓଡବ୍ଲ୍ୟୁ ପୁଲିସ ଏକ ମାମଲା ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ, ବିଲ୍ଡର ଅକ୍ଷୟ ରାଜଧାନୀର ଫରେଷ୍ଟ ପାର୍କ ଅଞ୍ଚଳରେ ରହୁଥିଲେ। ଏହାସହ ଖାରବେଳନଗରରେ ସେ ତାଙ୍କ ରିଅଲ ଇଷ୍ଟେଟ୍ ଅଫିସ୍ ଖୋଲିଥିଲେ। ୨୦୦୮ ମସିହାରେ ପୋଖରୀପୁଟ ଅଞ୍ଚଳରେ ୩୦ଟି ଡୁପ୍ଲେକ୍ସ ପ୍ରୋଜେକ୍ଟ ସେ ଲଞ୍ଚ କରିଥିଲେ। ଏହି ପ୍ରୋଜେକ୍ଟ ପାଇଁ ୨୦୦୮ ରୁ ୨୦୧୯ ମସିହା ମଧ୍ୟରେ ସେ କେତେକ ଲୋକଙ୍କ ଠାରୁ ବୁକିଂ ବାବଦକୁ ଟଙ୍କା ନେଇଥିଲେ।
ଟଙ୍କା ନେବା ପରେ ବିଭିନ୍ନ ଅସୁବିଧା ହେତୁ ୩ବର୍ଷ ପର୍ଯ୍ୟନ୍ତ କୌଣସି କନଷ୍ଟ୍ରକସନ୍ କାମ ସେଠାରେ ସେ କରିପାରିନଥିଲେ। ଏହାପରେ ଅକ୍ଷୟ ସେହି ଗ୍ରାହକ ଓ ଅନ୍ୟ କେତେକ ଲୋକଙ୍କ ପାଇଁ ୨୦୧୩ ମସିହାରେ ଯଦୁପୁର ମୌଜାରେ କେଶରୀ ପ୍ଲାଜା ନାମକ ଏକ ପ୍ରୋଜେକ୍ଟ କାମ ଆରମ୍ଭ କରିଥିଲେ। ବୁକିଂ ବାବଦକୁ ଅକ୍ଷୟଙ୍କ କମ୍ପାନୀ ୧୮ଜଣ ଗ୍ରାହକଙ୍କ ଠାରୁ ୫କୋଟି ୧୬ଲକ୍ଷ ୬୭ହଜାର ଟଙ୍କା ନେଇଥିଲେ। ଟଙ୍କା ନେବାର ୧୧ବର୍ଷ ପୂରିଯାଇଥିଲେ ବି ଅକ୍ଷୟ କୌଣସି ଲୋକଙ୍କୁ ଘର ଦେଇପାରିନଥିଲେ। ଚୁକ୍ତି ଅନୁସାରେ ଘର ନଦେଲେ ଟଙ୍କା ଫେରାଇଦେବାର ନିୟମ ରହିଛି। ହେଲେ ଅକ୍ଷୟ ଟଙ୍କା ଫେରାଇବା ବଦଳରେ ଲୋକଙ୍କୁ ଭଣ୍ଡେଇ ଆସୁଥିଲେ।
ଏନେଇ ଗ୍ରାହକମାନେ କ୍ରାଇମବ୍ରାଞ୍ଚର ଇଓଡବ୍ଲ୍ୟୁରେ ଗତ ୨୭ ତାରିଖରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ଇଓଡବ୍ଲ୍ୟୁ ଏକ ମାମଲା ରୁଜୁ କରିଥିଲା। ପରେ ଘଟଣାର ତଦନ୍ତ କରିବାକୁ ଯାଇ ଅକ୍ଷୟଙ୍କ ଅଫିସ ଯାଞ୍ଚ କରାଯାଇଥିଲା। ସେଠାରୁ ବିଭିନ୍ନ ବେଆଇନ କାଗଜପତ୍ର ମିଳିବା ସହ ସେଗୁଡ଼ିକୁ ଜବତ କରାଯାଇଥିଲା। ଏହାପରେ ଇଓଡବ୍ଲ୍ୟୁ ତାଙ୍କୁ ଗିରଫ କରିଥିଲା।