କେସିଙ୍ଗା,ଏନ୍ଏନ୍ଏସ୍: ଜାତୀୟସ୍ତରରେ ହେଉଥିବା ବୁଢ଼ା ଡଙ୍ଗର ଲୋକ ମହୋତ୍ସବ ଆସନ୍ତା ଡିସେମ୍ବର ୨୪ ଓ ୨୫ରେ ଅନୁଷ୍ଠିତ ହେବ ବୋଲି ଆୟୋଜନ କରୁଥିବା ସାଂସ୍କୃତିକ ଓ ସ୍ୱେଛାସେବୀ ଅନୁଷ୍ଠାନ ବୃନ୍ଦାବନ ସାଂସ୍କୃତିକ ପ୍ରକାଶ କରିଛି । ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠାନର ସଭାପତି ସୁଶାନ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠାନ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ୨ଦିନ ଧରି ହେବାକୁ ଥିବା ଏହି ଉତ୍ସବରେ ରାଜ୍ୟ ତଥା କେନ୍ଦ୍ରମନ୍ତ୍ରୀ, ସାଂସଦ, ବିଧାୟକ ଓ ଜିଲ୍ଲାର ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କୁ ଅତିଥି ଭାବରେ ଯୋଗଦାନ କରିବା ପାଇଁ ଅନୁରୋଧ କରାଯିବା ନେଇ ସ୍ଥିରୀକୃତ ହୋଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସ୍କୁଲ ଓ କଲେଜସ୍ତରରେ ବିଭିନ୍ନ ପ୍ରତିଯୋଗିତା ଯଥା ଏକକ ଲୋକ ସଙ୍ଗୀତ, ଦଳଗତ ନୃତ୍ୟ ଓ ଅନ୍ୟାନ୍ୟ ପ୍ରତିଯୋଗିତା ସହ ରାଜ୍ୟସ୍ତରୀୟ କବିତା ପାଠ ଉତ୍ସବ ଆୟୋଜିତ ହେବ । ଲୁକ୍କାୟିତ ପ୍ରତିଭାଙ୍କୁ ସାମ୍ନାକୁ ଆଣିବା ପାଇଁ ଏଥର ପ୍ରଥମ କରି ଏକ ଟ୍ୟାଲେଣ୍ଟ ସର୍ଚ୍ଚ ପ୍ରତିଯୋଗିତା କରାଯିବ । ଏଥିରେ ସାଂସ୍କୃତିକ କ୍ଷେତ୍ରରେ ଭଲ ପାରଦର୍ଶିତା ଥିବା ପ୍ରତିଯୋଗୀ ଅଂଶଗ୍ରହଣ କରିପାରିବେ ବୋଲି ଅନୁଷ୍ଠାନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ସେହିପରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହଯୋଗରେ ଏଥର ବି ବିଭିନ୍ନ ସାଂସ୍କୃତିକ ଦଳଙ୍କୁ ଡକାଯିବା ସହ ୨ ଦିନ ଧରି ଷ୍ଟାର ନାଇଟ ଓ ସିନେମା ଜଗତର ଅଭିନେତା ଓ ଅଭିନେତ୍ରୀଙ୍କୁ ଡାକିବା ପାଇଁ ନିଷ୍ପତ୍ତି ହୋଇଛି । ସାଂସ୍କୃତିକ ଶୋଭାଯାତ୍ରାରେ ବିଭିନ୍ନ ସାଂସ୍କୃତିକ ଦଳଙ୍କୁ ସାମିଲ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ବିଭିନ୍ନ ସବ କମିଟି ଗଠନ ହୋଇଛି । ଅନୁଷ୍ଠାନର ଉପଦେଷ୍ଟା କେସିଙ୍ଗା କଲେଜ ଅଧ୍ୟକ୍ଷ ସୁଶାନ୍ତ ପାଢ଼ୀ ଉପସ୍ଥିତ ରହି ଉତ୍ସବର ରୂପରେଖ ଉପରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର କୋଷାଧ୍ୟକ୍ଷ ବିକ୍ରମ ବାରିକ, ପ୍ରମୋଦ ଦାସ, ରମେଶ ଜେନା, ସୁଶ୍ରୀ ରୁବି ଚୌଧୁରୀ, ସୁରେଶ ମହାନନ୍ଦ, ମୋହିନ ସାହା, ପ୍ରମୋଦ ସାହୁ, ସଂଗ୍ରାମ ବାରିକ, କମ୍ବୁପାଣି ବାଗ, ସଂଯୁକ୍ତା ପାଢ଼ୀ, ଜ୍ଞାନେନ୍ଦ୍ର ଭୋଇ, ଜାଦେବେନ୍ଦ୍ର ସାହା, ଡା. ହରେକୃଷ୍ଣ ଧଳ, ସିଲୁ ବାରିକ ଓ ଅଜୟ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।