ଆଜିଠୁଁ ସଂସଦର ବଜେଟ ଅଧିବେଶନ

ନୂଆଦିଲ୍ଲୀ,ଏଜେନ୍ସି: ସଂସଦର ବଜେଟ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ। ତେବେ କଂଗ୍ରେସ ସମେତ ୧୬ଟି ବିରୋଧୀ ଦଳ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବର୍ଜନ କରିବେ ବୋଲି ଗୁରୁବାର ଘୋଷଣା କରିଥିଲେ।

ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବି ଆଜାଦ କହିଛନ୍ତି ଯେ କଂଗ୍ରେସ ସମେତ ତୃଣମୂଳ କଂଗ୍ରେସ (ଟିଏମସି), ଶିବସେନା, ଅକାଳି ଦଳ, ଆମ୍ ଆଦମୀ ପାର୍ଟି (ଆପ), ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି), ନ୍ୟାସନାଲ କନଫରେନ୍ସ (ଏନସି), ଡିଏମକେ, ସମାଜବାଦୀ ପାର୍ଟି, ଆରଜେଡି, ସିପିଆଇ(ଏମ), ଆଇଜେଏମଏଲ, ଆରସିପି, ପିଡିପି, ଏମଡିଏମକେ, କେରଳ କଂଗ୍ରେସ ଓ ଏଆଇୟୁଡିଏଫ ଆଦି ଦଳ ରାଷ୍ଟ୍ରପତିଙ୍କ ଅଭିଭାଷଣ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ସବୁ ଦଳ ବିବୃତି ଜାରି କରିଛନ୍ତି। ବିବାଦୀୟ କୃଷି ଆଇନର ପ୍ରତିବାଦ ପୂର୍ବକ ସେମାନେ ଏଭଳି ନିଷ୍ପତ୍ତି ନେଇଥିବା ଗୁଲାମ ନବି ଆଜାଦ କହିଛନ୍ତି।

ବିରୋଧୀଙ୍କ ସହ ଆଲୋଚନା ନକରି ଅଗଣତାନ୍ତ୍ରିକ ଭାବେ ଏହି ଆଇନ ସଂସଦରେ ଗୃହୀତ କରାଯାଇଥିଲା ଏବଂ ରାଷ୍ଟ୍ରପତି ଅବିଚାରିତ ଭାବେ ଏଥିରେ ଦସ୍ତଖତ କରିଥିବା ସେ ଦର୍ଶାଇଛନ୍ତି। ବଜେଟ ଅଧିବେଶନର ପ୍ରଥମ ଦିନରେ ସଂସଦ ଭବନର କେନ୍ଦ୍ରୀୟ ହଲ୍‌ରେ ରାଷ୍ଟ୍ରପତି ରାଜ୍ୟସଭା ଓ ଲୋକସଭାର ସଂଯୁକ୍ତ ସଦନକୁ ସମ୍ବୋଧିତ କରିବାର ସାମ୍ବିଧାନିକ ବ୍ୟବସ୍ଥା ରହିଛି।