ଆରମ୍ଭ ହେଲା ବିଧାନସଭା ବଜେଟ ଅଧିବେଶନ: ଅଭିଭାଷଣ ରଖିଲେ ରାଜ୍ୟପାଳ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଷୋଡ଼ଶ ବିଧାନସଭାର ତୃତୀୟ ତଥା ଚଳିତ ବର୍ଷର ବଜେଟ ଅଧିବେଶନ ଶୁକ୍ରବାର ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭରେ ରାଜ୍ୟପାଳଙ୍କ ଅଭିଭାଷଣ ରଖିଛନ୍ତି। ପ୍ରଥମେ ଦିବଙ୍ଗତ ସଦସ୍ୟ, ସହିଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ପରେ ରାଷ୍ଟ୍ରପତି ଅଭିଭାଷଣ ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟପାଳ ନିଜ ଅଭିଭାଷଣରେ ଓଡ଼ିଶାକୁ ନୂଆ ଉଚ୍ଚତାକୁ ନେବାକୁ ମୋ ସରକାର ଲାଗି ରହିଛି ଓ ରାଜ୍ୟ ସରକାର କେତେ ସଫଳତାର ସହ ସରକାର ଚଳାଇଛନ୍ତି ତାକୁ ନେଇ ରାଜ୍ୟପାଳ ବିଧାନସଭାରେ ଟିକି ନିଖି କରି ପ୍ରକାଶ କରିଛନ୍ତି।

ତେବେ ବିଧାନସଭାରେ ରାଜ୍ୟପାଳ ଗଣେଶୀ ଲାଲ ପହଞ୍ଚିବା ପରେ ଗାର୍ଡ ଅଫ ଅନର ଦେଇ ସ୍ୱାଗତ କରାଯାଇଥିଲା। ଏହା ପରେ ବିଧାନସଭାରେ ନିଜ ଅଭିଭାଷଣରେ ରାଜ୍ୟପାଳ କହିଛନ୍ତି, ରାଜ୍ୟ ସରକାରଙ୍କ ଦ୍ୱାରା ଲୋକଙ୍କ ସୁବିଧା ପାଇଁ ‘ମୋ ସରକାର’ ଆରମ୍ଭ କରାଯାଇଛି। ଦାରିଦ୍ର୍ୟ ଦୂରୀକରଣ ପାଇଁ ବିଭିନ୍ନ କାର୍ୟ୍ୟକ୍ରମ କରାଯାଉଛି। ଚାଷୀଙ୍କ ପାଇଁ କାଳିଆ ଓ ପିଲାଙ୍କ ପାଇଁ କାଳିଆ ଛାତ୍ରବୃତ୍ତି କରାଯାଇଛି। ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ସୌନ୍ଦର୍ୟ୍ୟକରଣ କାର୍ୟ୍ୟ ଆରମ୍ଭ ହୋଇଛି। କୃଷକଙ୍କ ଆୟ ୨ ଗୁଣ କରିବାକୁ ବିକାଶମୂଳକ ପଦକ୍ଷେପ ନିଆଯାଉଛି। ୧୧ଟି ଜିଲ୍ଲାର ୫୫ ବ୍ଲକରେ ‘ଓଡ଼ିଶା ମିଲେଟ ମିଶନ’ର ଶୁଭାରମ୍ଭ ହୋଇଛି। ସେହିଭଳି କୃଷକଙ୍କ ପାଇଁ ସୌର ଜଳନିଧି ଯୋଜନା କାର୍ୟ୍ୟକାରୀ କରାଯାଉଛି। ‘ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ’ ଯୋଜନା କାର୍ୟ୍ୟକାରୀ ହୋଇଛି। ୨୦୨୦-୨୧ରେ ୧.୮୪ ଲକ୍ଷ ହେକ୍ଟର ଜମିକୁ ଜଳ ସେଚନ କରାଯିବାର ଲକ୍ଷ୍ୟ ରଖାଯାଇଛି।

ସେହିଭଳି ୫ ବର୍ଷରେ ବୃହତ ଓ ମଧ୍ୟମ ଜଳସେଚନ ପ୍ରକଳ୍ପ ଶେଷ କରିବାର ଲକ୍ଷ୍ୟ ରଖାଯାଇଛି। ୨୦୨୦-୨୧ରେ ୨୦୦ କ୍ଷୁଦ୍ର ଜଳସେଚନ ଭଣ୍ଡାର ନିର୍ମାଣ କରିବାର ଲକ୍ଷ୍ୟ ରହିଛି। ୨୦୧୮ରୁ ନିଜସ୍ୱ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା କାର୍ୟ୍ୟ କରୁଛି। ୨୦୧୮-୧୯ରେ ରେକର୍ଡ ପରିମାଣର ଖରିପ ଧାନ ସଂଗ୍ରହ ହୋଇଛି। ୧୦ ଲକ୍ଷରୁ ଅଧିକ ଚାଷୀଙ୍କ ଆକାଉଣ୍ଟରେ ୧୧,୪୬୪ କୋଟି ଟଙ୍କା ଜମା ହୋଇଛି। ଜଳଉତ୍ସ ଓ ପାଇପ୍‌ ଜଳ ଯୋଗାଣ ପ୍ରକଳ୍ପରେ ବିଶୁଦ୍ଧ ଜଳ ମିଳୁଛି। ୧୯ ଲକ୍ଷ ପରିବାରକୁ କର୍ମ ନିଯୁକ୍ତି ସୁଯୋଗ ମିଳିଛି। ଉପାନ୍ତ ଅଞ୍ଚଳରେ ୧୨ ହଜାର ସୋଲାର ପ୍ରକଳ୍ପ ଲାଗିଛି। ଏସ୍‌ସିବି ମେଡିକାଲକୁ ବିଶ୍ୱସ୍ତରୀୟ କରିବାକୁ ପ୍ରୟାସ ଜାରି ରହିଛି। ଖୁବଶୀଘ୍ର ୧୪୦୩ ଡାକ୍ତରଙ୍କୁ ନିଯୁକ୍ତି ମିଳିବ ବୋଲି ମଧ୍ୟ କହିଛନ୍ତି ରାଜ୍ୟପାଳ।

ସେହିଭଳି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ବହୁ ଲୋକ ଉପକୃତ ହେଉଛନ୍ତି । ମ୍ୟାଲେରିଆ ହ୍ରାସ ନେଇ ଓଡ଼ିଶା ମଡେଲକୁ ଡବ୍ଲୁଏଚଓ ସ୍ୱୀକୃତି ଦେଇଥିବା ରାଜ୍ୟପାଳ ପ୍ରକାଶ କରିଥିବା ବେଳେ ଓଡ଼ିଶାରେ ପ୍ରଥମ ଥର ପାଇଁ ମିଶନ ଶକ୍ତି ମେଳା ଆରମ୍ଭ ହୋଇଥିବା ସେ କହିଛନ୍ତି । ଅନ୍ୟପଟେ ବାଳ ଅପରାଧୀଙ୍କ ପାଇଁ ୩୦ଟି କିଶୋର ନ୍ୟାୟ ବୋର୍ଡ ଗଠନ ହୋଇଛି । ମମତା ଯୋଜନାରେ ୪୦ ଲକ୍ଷରୁ ଅଧିକ ଗର୍ଭବତୀ ଓ ପ୍ରସୂତି ଉପକୃତ ହୋଇଛନ୍ତି । ଶିଶୁଙ୍କ ଗେଡ଼ାପଣ ହ୍ରାସରେ ରାୟଗଡ଼ା ଦେଶରେ ଚତୁର୍ଥ ସ୍ଥାନରେ ଅଛି ।