ସଂସଦରେ ବଜେଟ ଅଧିବେଶନ, ୫ ଟ୍ରିଲିୟନ୍ ଡଲାର୍ ଅର୍ଥନୀତି ହାସଲ କରିବାକୁ ସରକାର ପ୍ରତିବଦ୍ଧ: ରାଷ୍ଟ୍ରପତି ଦେଶ- ବିଦେଶ By Nitidin On Jan 31, 2020 Share ନୂଆଦିଲ୍ଲୀ,ଏଜେନ୍ସି: ସଂସଦର ବଜେଟ ଅଧିବେଶନ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ବେଳେ ଏଠାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜକୀୟ ଢ଼ଙ୍ଗରେ ଘୋଡା ଓ ସୌନମାନଙ୍କ ସହ ଆସିଛନ୍ତି। ସେଠାରେ ପହଞ୍ଚିବା ପରେ ମହାମହିମ ରାଷ୍ଟ୍ରପତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି। ଏଥିସହ ରାଷ୍ଟ୍ରପତି କହିଛନ୍ତି ଯେ ଚଳିତ ଦଶକ ଭାରତ ପାଇଁ ଏହି ବଜେଟ ଅଧିବେଶନ ବେଶ୍ ମହତ୍ଵପୂର୍ଣ୍ଣ। ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ହେବାକୁ ଯାଉଥିବା ବେଳେ ଆମକୁ ନୂଆ ଭାରତର ନିର୍ମାଣ କରିବାକୁ ପଡ଼ିବ। ମୋ ସରକାରର ଉଦ୍ୟମ ଯୋଗୁଁ ଗତ ୫ବର୍ଷରେ ଚଳିତ ଦଶକକୁ ଭାରତର ଦଶକ କରିବା ଲାଗି ଭିତ୍ତି ପଡ଼ିସାରିଛି। ପାରସ୍ପରିକ ଆଲୋଚନା-ପର୍ୟ୍ୟାଲୋଚନା ତଥା ବାଦ-ବିବାଦ ଗଣତନ୍ତ୍ରକୁ ଅଧିକ ସଶକ୍ତ କରେ। କିନ୍ତୁ ବିରୋଧ ନାଁରେ କୌଣସି ପ୍ରକାର ହିଂସା ଦେଶ ଏବଂ ଗଣତନ୍ତ୍ରକୁ ଦୁର୍ବଳ କରିଦିଏ। ମୋ ସରକାର ସବ୍କା ସାଥ, ସବ୍କା ବିକାଶ, ସବ୍କା ବିଶ୍ଵାସ ମନ୍ତ୍ରରେ ଚାଲିବା ସହ ସମ୍ପୂର୍ଣ୍ଣ ନିଷ୍ଠା ଏବଂ ସଚ୍ଚୋଟତାର ସହିତ କାମ କରୁଛି ବୋଲି ରାଷ୍ଟ୍ରପତି କହିଥିଲେ। ଏହି ପରିପ୍ରେକ୍ଷୀରେ ୫ ଟ୍ରିଲିୟନ୍ ଡଲାର୍ ଅର୍ଥନୀତି ହାସଲ କରିବାକୁ ସରକାର ପ୍ରତିବଦ୍ଧ ବୋଲି ରାଷ୍ଟ୍ରପତି କହିଛନ୍ତି। ଅଭିଭାଷଣ ଆରମ୍ଭ କରି ରାଷ୍ଟ୍ରପତି କହିଲେ: ୨୦୨୦ ଭାରତ ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ବର୍ଷ। ୨୦୨୦ ହେଉଛି ଭାରତ ସ୍ୱାଧୀନତାର ୭୫ତମ ବର୍ଷ। ଆମେ ଏକତ୍ର କାମ କରିବା ଉଚିତ। ସମ୍ବିଧାନ ଆମର ପଥପ୍ରଦର୍ଶନ କରୁଛି। ଜାତୀୟ ସ୍ୱାର୍ଥକୁ ସର୍ବାଗ୍ରେ ରଖି ଦେଶବାସୀଙ୍କ ଆଶା ଓ ଆକାଙ୍କ୍ଷା ପୂରଣ କରିବା ଓ ସେମାନଙ୍କ ପାଇଁ ଅତ୍ୟାବଶକ ଆଇନ ପ୍ରଣୟନ କରିବା ନିମନ୍ତେ ସଂସଦ ଏବଂ ଏଠାରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟଙ୍କ ଠାରୁ ଆମ ସମ୍ବିଧାନ ଆଶା କରୁଛି। ଭାରତର ସମୃଦ୍ଧି ନିମନ୍ତେ ଏହି ଦଶନ୍ଧି ହେଉଛି ଗୁରୁତ୍ୱପୂର୍ଣ୍ଣ। ୨୦୧୯ରେ ଗୁରୁତ୍ୱପୂର୍ଣ୍ଣ ଆଇନ୍ ପାରିତ ହୋଇଛି। ଏ ଦଶନ୍ଧିକୁ ଭାରତର ଦଶନ୍ଧି କରିବାକୁ ସରକାର ଦୃଢ଼ ପଦକ୍ଷେପ ଗ୍ରହଣ କରୁଛନ୍ତି। ନୂଆ ଭାରତ ନିର୍ମାଣ ନିମନ୍ତେ ସରକାର ଜନାଦେଶ ପାଇଛନ୍ତି। ନୂଆ ସରକାରଙ୍କ ଦ୍ୱାରା କେତେଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ବିଧେୟକକୁ ଆଇନ୍ରେ ପରିଣତ କରାଇ ପ୍ରଥମ ସାତମାସରେ ପାର୍ଲାମେଣ୍ଟ୍ ରେକର୍ଡ କରିଛି। ପାରସ୍ପରିକ ଆଲୋଚନା ଏବଂ ବିତର୍କ ଗଣତନ୍ତ୍ରକୁ ଆହୁରି ସୁଦୃଢ଼ କରିବ ବୋଲି ସରକାର ସ୍ପଷ୍ଟ ମତ ପୋଷଣ କରିଛନ୍ତି। ପାର୍ଲାମେଣ୍ଟ୍ର ଉଭୟର ଗୃହର ଦୁଇ-ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ଦ୍ୱାରା ସମ୍ବିଧାନର ଧାରା ୩୭୦ ଏବଂ ୩୫-ଏ ଉଚ୍ଛେଦ ହେବା କେବଳ ଐତିହାସିକ ନୁହେଁ, ଏହା ଜମ୍ମୁ ଓ କଶ୍ମୀର ଏବଂ ଲଦାଖର ସମାନ ବିକାଶ ନିମନ୍ତେ ପଥ ଉନ୍ମୁକ୍ତ କରିଛି। ରାମ ଜନ୍ମଭୂମି ପ୍ରସଙ୍ଗରେ ସୁପ୍ରିମ୍ କୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ ଦେଶବାସୀ ଯେଉଁ ଭଳି ବିଜ୍ଞତାପୂର୍ବକ ଆଚରଣ ପ୍ରଦର୍ଶନ କଲେ ତାହା ପ୍ରଶଂସାଯୋଗ୍ୟ। ଏଥିସହ ‘ସିଏଏ’ ଗାନ୍ଧୀଜୀଙ୍କ ସ୍ୱପ୍ନକୁ ସାକାର କରିଛି। ମୁଁ ଆନନ୍ଦିତ ଯେ ପାର୍ଲାମେଣ୍ଟ୍ର ଉଭୟ ଗୃହ ଦ୍ୱାରା ‘ସିଏଏ’ ଆଇନ୍ରେ ପରିଣତ ହେବାରୁ ଜାତିର ଜନକ ଗାନ୍ଧୀଙ୍କର ଆଶା ପୂର୍ଣ୍ଣ ହୋଇଛି। Share