ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଚିକିତ୍ସା ସେବା ବନ୍ଦ କଲେ ଘରୋଇ ଡାକ୍ତରଖାନା

ଭୁବନେଶ୍ୱର,ଏନ୍ଏନ୍ଏସ୍: ପୂର୍ବ ଚେତାବନୀ ମୁତାବକ ରାଜ୍ୟର ୩ଶହରୁ ଊଦ୍ଧ୍ୱର୍ ଘରୋଇ ଡାକ୍ତରଖାନା ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ରେ ଚିକିତ୍ସା ସେବା ଯୋଗାଇ ଦେବାକୁ ସଫା ସଫା ମନା କରିଦେଇଛନ୍ତି। ରାଜ୍ୟରେ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ରେ ଚିକିତ୍ସା ସେବା ପାଉଥିବା ଗରିବ ଓ ସାଧାରଣ ରୋଗୀ ଛଟପଟ ହେଉଛନ୍ତି। ରାଜ୍ୟ ସରକାର ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବାବଦକୁ ବକେୟା ଥିବା ଅର୍ଥ ଘରୋଇ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଯେ ପର୍ଯ୍ୟନ୍ତ ପୈଠ କରିନାହାନ୍ତି, ସେ ପର୍ଯ୍ୟନ୍ତ ଏହି ସେବା ବନ୍ଦ ରହିବ ବୋଲି ଅଲ୍ ଓଡ଼ିଶା ପ୍ରାଇଭେଟ୍ ମେଡିକାଲ୍ ଏଷ୍ଟାବ୍ଲିଶମେଣ୍ଟ୍ ଫୋରମ୍ ଘୋଷଣା କରିଛି।

ରୋଗୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର ଏଷ୍ଟାବ୍ଲିଶମେଣ୍ଟ୍ ଫୋରମର ଦାବିକୁ ମାନି ନିଅନ୍ତୁ। ତୁରନ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ସ୍ୱାସ୍ଥ୍ୟ ସଚିବ, ଗୃହ ସଚିବ ଓ ନଗର ଉନ୍ନୟନ ସଚିବଙ୍କ ସହିତ ଫୋରମର ଏକ ଉଚ୍ଚସ୍ତରୀୟ ବୈଠକର ବ୍ୟବସ୍ଥା କରାଯାଉ। ଏହି ବୈଠକରେ ଫୋରମ୍ ପକ୍ଷରୁ ପୂର୍ବରୁ କରାଯାଇଥିବା ଦାବିଗୁଡ଼ିକ ପୂରଣ କରିବା ଲାଗି ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଫୋରମ୍ ସଭାପତି ଡାକ୍ତର ଅଜୟ ମିଶ୍ର କହିଛନ୍ତି।

ବିଭିନ୍ନ ଦାବିରେ ଫୋରମ୍ ଆନ୍ଦୋଳନକୁ ଓହ୍ଲାଇଛି। ଏହି ଆନ୍ଦୋଳନରେ ରାଜ୍ୟର ୨ହଜାରରୁ ଊଦ୍ଧ୍ୱର୍ ହସ୍ପିଟାଲଗୁଡ଼ିକ ସାମିଲ ହୋଇଛନ୍ତି। ଏହା ଭିତରେ ରାଜ୍ୟ ସରକାରଙ୍କୁ ତିନିଥର ଦାବି ସମ୍ପର୍କରେ ଅବଗତ କରାଯାଇଥିଲା। ହେଲେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ ବୋଲି ସେ କହିଛନ୍ତି।