ସୀମାରେ ସୁଡ଼ଙ୍ଗ ଠାବ: ନିହତ ଆତଙ୍କବାଦୀ ଏହିରାସ୍ତା ଦେଇ ଆସିଥିଲେ- ବିଏସଏଫ୍ ଆଇଜି

ନୂଆଦିଲ୍ଲୀ, ଏଜେନ୍ସି: ଜାମ୍ମୁ-କାଶ୍ମୀରର ସାମ୍ବା ଜିଲ୍ଲାରେ ପାକିସ୍ତାନ ସଂଲଗ୍ନ ଅନ୍ତରାଷ୍ଟ୍ରୀୟ ସୀମା ନିକଟରେ ବିଏସଏଫର ଯବାନ ଏକ ସୁଡଙ୍ଗ ଚିହ୍ନଟ କରିଛନ୍ତି। ବିଏସଏଫର ଆଇଜି ଏନଏସ ଜାମବାଲ କହିଛନ୍ତି ନାଗରୋଟ ଏନକାଉଣ୍ଟରରେ ପ୍ରାଣ ହରାଇଥିବା ୪ ଆତଙ୍କୀ ଏହି ସୁଡ଼ଙ୍ଗ ଦେଇ ଭାରତୀୟ ସୀମାରେ ଅନୁପ୍ରବେଶ କରିଥିଲେ।
ବିଏସଏଫ ଆଇଜିଙ୍କ ସୂଚନା ଅନୁସାରେ, ନାଗରୋଟାରେ ନିହତ ଆତଙ୍କବାଦୀ ୩୦ ରୁ ୪୦ ମିଟରର ଏହି ଲମ୍ବା ସୁଡଙ୍ଗ ଦେଇ ଭାରତୀୟ ସୀମାରେ ପଶିଥିଲେ। ଏହା ଏକ ନୂଆଁ ସୁଡଙ୍ଗ। ଲାଗୁଛି କେହି ଜଣେ ସେମାନଙ୍କୁ ଗାଇଡ୍ କରି ହାଇୱେ ପର୍ଯ୍ୟନ୍ତ ନେବାରେ ସାହାଯ୍ୟ କରିଛି। ଚଳିତ ସପ୍ତାହରେ ଜାମ୍ମୁ-ଶ୍ରୀନଗର ରାଜପଥ ନିକଟ ନାଗରୋଟା ଟୋଲ୍ ପ୍ଲାଜା ନିକଟରେ ଗୁଳିବିନିମୟରେ ପ୍ରାଣ ହରାଇଥିବା ଚାରି ଆତଙ୍କୀ ସାମ୍ବା ସେକ୍ଟରରେ ଅନ୍ତରାଷ୍ଟ୍ରୀୟ ସୀମା ନିକଟ ଦେଇ ଭାରତରେ ଅନୁପ୍ରବେଶ କରିଥିଲେ। ସେମାନେ ବଡ ଧରଣର ଆକ୍ରମଣ ପାଇଁ ଷଡଯନ୍ତ୍ର ରଚିଥିଲେ।