ବିଏସ୍ଏଫ୍ ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଲଖନପୁର ଥାନା ଅନ୍ତର୍ଗତ ସୁନାରୀ ପଞ୍ଚାୟତ ଢୋଲବାହାଲ ଜଙ୍ଗଲ ନିକଟ ଏକ ମହୁଲ ଗଛରୁ ଜଣେ ବିଏସଏଫ ଯବାନଙ୍କ ଝୁଲନ୍ତା ମୃତଦେହ ପୁଲିସ ଉଦ୍ଧାର କରିଛି। ମୃତ ଯବାନ ଜଣକ ବ୍ରଜରାଜନଗର ଲମଟିବାହାଲର ଦିନେଶ ମୁଣ୍ଡା(୩୦) ବୋଲି ଜଣାପଡିଛି। ପୁଲିସ ଦିନେଶଙ୍କ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ଦିନେଶଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନଥିବାବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଜଣାପଡିବ ବୋଲି ଲଖନପୁର ଥାନା ଅଧିକାରୀ ପବିତ୍ର କିସାନ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ଲମଟିବାହାଲର ଦିନେଶ ଛୋଟବେଳୁ ଢୋଲବାହଲରେ ଥିବା ତାଙ୍କ ଭଉଣୀ ଓ ଭିଣୋଇଙ୍କ ଘରେ ରହି ପାଠ ପଢୁଥିଲେ। ଏହାପରେ ୨୦୧୭ ମସିହାରେ ସେ ସୀମା ସୁରକ୍ଷା ବଳରେ (ବିଏସଏଫ)ରେ ଯୋଗ ଦେଇଥିଲେ। ଗତ ଡିସେମ୍ବର ୨୩ ତାରିଖରେ ସେ ଛୁଟିରେ ଘରକୁ ଆସବା ପରେ ନିଜ ଭିଣୋଇ ଘରକୁ ଆସିଥିଲେ। ହେଲେ ମଙ୍ଗଳବାର ସଂଧ୍ୟାରେ ସେ କାହାକୁ କିଛି ନଜଣାଇ ଘରୁ ବାହରି ଆସିଥିଲେ। ପରିବାର ଲୋକେ ଖୋଜାଖୋଜି କରିଥିଲେ ସୁଦ୍ଧା ତାଙ୍କୁ ପାଇ ନଥିଲେ। ତେବେ ଆଜି ସକାଳୁ ଢୋଲବାହାଲ ନିକଟସ୍ଥ ଏକମହୁଲ ଗଛରେ ଦିନେଶଙ୍କ ମୃତଦେହ ଝୁଲୁଥିବା ଦେଖି କିଛିଲୋକ ପୁଲିସ ଓ ତାଙ୍କ ପରିବାରବର୍ଗଙ୍କୁ ଖବର ଦେଇଥିଲେ। ଲଖନପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବାସହ ବ୍ୟବଚ୍ଛେଦ ପାଇଁ ପଠାଇଛି।