ଛାତ୍ରୀଙ୍କୁ ବିଭତ୍ସ ହତ୍ୟାକରି ଅଭିଯୁକ୍ତ ଫେରାର, ପୁଲିସ ଓ ସାଇଣ୍ଟିଫିକ ଟିମ୍‌ର ତନାଘନା

ନୟାଗଡ଼,ଏନ୍‌ଏନ୍‌ଏସ୍: ଦଶପଲ୍ଲାରେ ଗତକାଲି ରାତିରେ ଜଣେ ଛାତ୍ରୀଙ୍କୁ ହତ୍ୟା କରାଯାଇଥିବା ବେଳେ ଏହାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ପୁଲିସ ଓ ସାଇଣ୍ଟିଫିକ ଟିମ୍ ଘଟଣାର ତନାଘନା ଚଳାଇଥିବା ବେଳେ ପୁଲିସ କିଛି ଲୋକଙ୍କୁ ଥାନାରେ ଅଟକ ରଖିଛି। ସୂଚନା ଅନୁସାରେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ମାଳିସାହିରେ ଶନିବାର ରାତିରେ ଜଣେ କଲେଜ ଛାତ୍ରୀଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି।

ବିଳମ୍ବିତ ରାତ୍ରିରେ ମାଳିସାହି ଗାଁ ମଝିରେ ଥିବା ବିରଞ୍ଚି ଦାଶଙ୍କ ସାନଝିଅ ନବନୀତା ଦାଶ(୧୯) ଘରେ ଶୋଇଥିବା ବେଳେ କେହି ତାଙ୍କୁ ଠେଙ୍ଗାରେ ପିଟି ରକ୍ତାକ୍ତ କରି ଦେଇଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଦଶପଲ୍ଲା ଡାକ୍ତରଖାନା ଓ ପରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ। ପୁଲିସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କ ଶବ ଜବତ କରି ବ୍ୟବଚ୍ଛେଦ କରାଇଥିବା ବେଳେ ଆଜି ଘଟଣାର ତଦନ୍ତ ଆରମ୍ଭ କରିଛି। ଅପରାଧୀଙ୍କୁ ଚିହ୍ନଟ କରିବା ଏବଂ କେଉଁ କାରଣ ନେଇ ଏପରି ଘଟଣା ଘଟିଲା ତାକୁ ନେଇ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ଛାନ୍‌ଭିନ୍ ଆରମ୍ଭ କରିଛନ୍ତି।

ଘଟଣାସ୍ଥଳରେ ନୟାଗଡ଼ ଏସ୍‌ଡିପିଓ ନିରଞ୍ଜନ ପାଢୀ, ଦଶପଲ୍ଲା ଥାନା ଅଧିକାରୀ ବିଶ୍ୱଜିତ୍ ରାଉତରାୟ ପହଞ୍ଚି ଘଟଣାର ଅନୁସନ୍ଧାନ ଚଳାଇଥିବା ଜଣାଯାଇଛି। ଏଥିସହିତ ପରିବାର ଲୋକଙ୍କୁ ଥାନାରେ ଅଟକ ରଖଯାଇ ତଦନ୍ତ ଚାଲିଥିବା ଜଣାଯାଇଛି। ଏହି ପରିପ୍ରେକ୍ଷୀରେ ପୁଲିସ ନବନୀତାଙ୍କ ବାପା ବିରଞ୍ଚି, ଦାଦା କାଳିଆ, ସାନଭାଇ ଓ ଜେଜେ ବଂଶିଧରଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି ।

ମୃତ ନବନୀତାଙ୍କ ବାପା ବିରଞ୍ଚି ୨୦୧୦ ମସିହାରେ ପ୍ରଥମ ପତ୍ନୀ ରମାଙ୍କୁ ହତ୍ୟା କରିଥିଲେ। ତା’ର ୨ବର୍ଷ ପରେ ଦ୍ୱିତୀୟ ବିବାହ ନୂଆଗାଁ ନିକଟସ୍ଥ ଖାଲମଡ଼ା ଗାଁରେ କରିଥିଲେ। ଦ୍ୱିତୀୟ ପତ୍ନୀଙ୍କୁ ମଧ୍ୟ ସେ ହତ୍ୟାକରି ବାଡ଼ି କୂଅରେ ଝୁଲାଇ ଦେଇଥିବା ଅପରାଧରେ ଜେଲ୍ ଯାଇଥିଲେ। ପ୍ରଥମ ପତ୍ନୀଙ୍କ ୨ଟି ଝିଅ ଓ ୧ଟି ପୁତ୍ର ସନ୍ତାନ ଥିଲେ। ଫଳରେ ଝିଅ ନବନୀତାର ମୃତ୍ୟୁ ରହସ୍ୟ ପଛରେ କାହାର ହାତ ରହିଛି ତାକୁ ନେଇ ପୁଲିସ କୌଣସି ସୂଚନା ଦେଇନାହିିଁ। ତେବେ ନବନୀତା ଶୋଇଥିବା ଶେଷମୁଣ୍ଡ ଘରେ ଚଟାଣରେ ରକ୍ତଛିଟା ଓ ବାଡ଼ିପଟ କଦଳୀ ଗଛ ମୂଳେ ପ୍ରବଳ ରକ୍ତସ୍ରାବର ଚିହ୍ନ ଦେଖିବାକୁ ମିଳିଥିବା ବେଳେ ପୁଲିସ କିଛି ରକ୍ତଭିଜା ପୋଷାକ ମଧ୍ୟ ଜବତ କରିଛି। ତେବେ ଗତକାଲି ନବନୀତାଙ୍କ ବାପା ବିରଞ୍ଚି ଘରେ ନଥିବା ବେଳେ ତାଙ୍କ ଜେଜେ ବଂଶୀଧର ରାଉତ ଏବଂ ଭାଇ ଘରେ ଥିଲେ। ନବନୀତା ସ୍ଥାନୀୟ ବୃନ୍ଦାବନ ସୁବୁଦ୍ଧି ମହାବିଦ୍ୟାଳୟର +୩ ଦ୍ୱିତୀୟ ବର୍ଷ ଛାତ୍ରୀ। ତାଙ୍କ ମୃତ୍ୟୁକୁ ନେଇ ବାପା ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଆଜି ଶବ ବ୍ୟବଚ୍ଛେଦ ହେବା ପରେ ତାଙ୍କ ବଡ଼ବାପା ସୁରେନ୍ଦ୍ର ଦାସଙ୍କୁ ପୁଲିସ ଶବ ହସ୍ତାନ୍ତର କରିଛି ।