ତନ୍ତ୍ରସାଧନାର କରୁଣ ପରିଣତି, ଦୁଇ କନ୍ୟାଙ୍କୁ ନିର୍ମମ ହତ୍ୟା

ହାଇଦ୍ରାବାଦ,ଏଜେନ୍ସି: ଆନ୍ଧ୍ରପ୍ରଦେଶର ଚିତୁର ଜିଲ୍ଲାରେ ଉଚ୍ଚଶିକ୍ଷିତ ପିତାମାତା ସେମାନଙ୍କର ଦୁଇ ସାବାଳିକା କନ୍ୟାଙ୍କୁ ନିର୍ମମଭାବେ ହତ୍ୟା କରିଥିବା ଘଟଣା ଲୋକଲୋଚନକୁ ଆସିଛି। ତନ୍ତ୍ରସାଧନା ଓ ଗୁଣିଗାରେଡିରେ ବିଶ୍ୱାସ ରଖୁଥିବା ଏହି ଦମ୍ପତିଙ୍କୁ ପୁଲିସ ରବିବାର ଗିରଫ କରିଛି। ଅଭିଯୁକ୍ତ ପିତା ପୁରୁଷୋତ୍ତମ ନାଇଡୁ ଏକ ସରକାରୀ ମହିଳା କଲେଜରେ ରସାୟନ ଶାସ୍ତ୍ର ପ୍ରଫେସର ତଥା ଭାଇସ୍ ପ୍ରିନ୍ସିପାଲ ଭାବେ କାର୍ଯ୍ୟ କରୁଥିବାବେଳେ ମାଆ ପଦ୍ମଜା ଗଣିତଶାସ୍ତ୍ରରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ସେମାନଙ୍କର ଦୁଇ କନ୍ୟାଙ୍କ ନାମ ଆଲେଖ୍ୟା (୨୭) ଓ ସାଇଦିବ୍ୟା (୨୩)। ରବିବାର ସନ୍ଧ୍ୟାରେ ଏହି ଦମ୍ପତି ପ୍ରଥମେ ଏକ ତିଶୁଳ ସାହାଯ୍ୟରେ ଛୋଟ ଝିଅକୁ ଭୁଶି ହତ୍ୟା କରିଥିବାବେଳେ ବଡ ଝି ଆଲେଖ୍ୟା ମୁଣ୍ଡକୁ ହାତୁଡିରେ ଜୋରରେ ଆଘାତ କରିବା ଫଳରେ ତା’ର ମଧ୍ୟ ମୃତ୍ୟୁ ଘଟିଥିଲା।

ଘଟଣା ସମୟରେ ମୃତ କନ୍ୟାଦ୍ୱୟ ଲାଲରଙ୍ଗର ଶାଢି ପରିଧାନ କରିଥିବାବେଳେ ଉକ୍ତ ପ୍ରକୋଷ୍ଠରେ ପୂଜାପାଠ ଚାଲିଥିଲା ଏବଂ ହତ୍ୟାକାରୀ ପିତାମାତା ଅର୍ଦ୍ଧଚେତନ ଅବସ୍ଥାରେ ଥିଲେ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। କନ୍ୟାଦ୍ୱୟଙ୍କୁ ହତ୍ୟା କରିବାପରେ ପୁରୁଷୋତ୍ତମ ନିଜର ଜଣେ ଅନ୍ତରଙ୍ଗ ବନ୍ଧୁଙ୍କୁ ଫୋନ ଯୋଗେ ଏହି ସାଂଘାତିକ ସୂଚନା ଦେଇଥିଲେ। ଉକ୍ତ ବ୍ୟକ୍ତିଙ୍କଠାରୁ ଖବର ପାଇ ପୁଲିସ ଅବଳମ୍ବେ ଘଟଣାସ୍ଥଳରେ ପହଞ୍ଚି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ଗିରଫ ପରେ ପୁରୁଷୋତ୍ତମ କହିଛନ୍ତି ଯେ ସୁଯୋଗ ଓ ସମୟ ଦେଲେ ତନ୍ତ୍ରସାଧନା ବଳରେ ସେ ମୃତ ଦୁଇ କନ୍ୟାଙ୍କୁ ପୁଣି ଜୀବିତ କରାଇପାରିବେ।