ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଥାନା ଅନ୍ତର୍ଗତ ସାନ ଶିରଡିହି ଗ୍ରାମରେ ବତକକୁ ନେଇ ଗଣ୍ଡଗୋଳ। ଦିଅରର ଠେଙ୍ଗାମାଡରେ ଭାଉଜର ମୃତ୍ୟୁ ଘଟିଥିବା ଜଣାପଡିଛି। ଏ ନେଇ ଦେବଗଡ଼ ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣା ତଦନ୍ତ ଆରମ୍ଭ କରିଛି। ପୁଲିସ ସୂଚନା ଅନୁସାରେ ସାନଶିରଡିହି ଗ୍ରାମର ସ୍ୱର୍ଗତ ବିଜୟ ବାଙ୍କିରାଙ୍କ ଶନିବାରୀ ବାଙ୍କିରା(୫୦) ନିଜ ୪ ସନ୍ତାନ ସନ୍ତତି ସହ ମୂଲଲାଗି ପରିବାର ପ୍ରତିପୋଷଣ କରିଆସୁଥିଲେ।
ସେହିପରି ଗତ କିଛିଦିନ ଧରି ସେ ଅସୁସ୍ଥ ଥିବାରୁ ଘରେ ରହୁଥିଲେ। ଗତ ୫ ତାରଖ ସନ୍ଧ୍ୟାରେ ତାଙ୍କ ଦିଅର ଶୁକଦେବ ବାଙ୍କିରା ପାଳିଥିବା କେତୋଟି ବତକ ଆହତ ହୋଇଥିବାରୁ ଶୁକଦେବ ଭାଉଜ ଶନିବାରି ତାଙ୍କ ବତକଙ୍କୁ ଆକ୍ରମଣ କରିଥିବା ସନ୍ଦେହ କରି ଏକ ଠେଙ୍ଗା ସାହଯ୍ୟରେ ଶନିବାରୀଙ୍କୁ ଆକ୍ରମଣ କରିଥିଲେ।
ଠେଙ୍ଗାମାଡରେ ଶନିବାରୀଙ୍କ ୨ ହାତ ଭାଙ୍ଗି ଯିବା ସହ ସେ ଗୁରୁତର ହୋଇପଡିଥିଲେ। ପରେ ରାତ୍ରିରେ ଶନିବାରୀଙ୍କ ପୁଅ କଙ୍କରୁ ବାଙ୍କିରା ଗୁରତର ଅବସ୍ଥାରେ ମାଁଙ୍କୁ ଗୁରୁତର ଅବସ୍ଥାରେ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ଗତ କାଲି ରାତ୍ରିରେ ଶନିବାରୀଙ୍କ ମୃତ୍ୟୁ ଘଟିଛି।
ଏ ନେଇ କୁଙ୍କରୁ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ଶୁକଦେବକୁ ଥାନାରେ ଅଟକ ରଖି ପଚରା ଉଚୁରା ଆରମ୍ଭ କରାଯାଇଥିବା ଦେବଗଡ ଥାନା ଅଧିକାରୀ ପ୍ରଶାନ୍ତ କୁମାର ପାତ୍ର ସୂଚନା ଦେଇଛନ୍ତି। ସେହିପରି ମୃତ ଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣା ପଡିଛି।