ଦେବଗଡ,ଏନ୍ଏନ୍ଏସ୍ : ୧୭ମାସ ପରେ ଦଲାଲ ଗିରଫ । ଗତ୨୦୧୯ ଜାନୁଆରୀ ମାସ ପ୍ରଥମାର୍ଦ୍ଧରେ ଦଲାଲ ଦ୍ୱାରା ଠକେଇର ଶିକାର ହୋଇ ବିହାର ରାଜ୍ୟର ଗୟା ଜିଲ୍ଲାରେ ରେଲୱେ ସିଲପଟ୍ କାର୍ଯ୍ୟରେ ନିୟୋଜିତ୨ ଜଣ ନାବାଳକ ସମେତ ୧୧ ଜଣ ନିର୍ଯ୍ୟାତିତ ଶ୍ରମିକଙ୍କୁ ରିଆମାଳ ଥାନା ପୁଲିସ ଉଦ୍ଧାର କରିଥିବା ମାମଲାରେ ରିଆମାଳ ଥାନା ପୁଲିସ ଆଜି ଫେରାର ଥିବା ଦଲାଲ କର୍ଡାପାଳ ଗ୍ରାମର କ୍ଷୀରୋଦ ଧରୁଆ(୪୨) ଙ୍କୁ ଗିରଫ କରି କୋର୍ଟ ଚାଳାଣ କରିଥିବା ଜଣାପଡିଛି।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତ୨୦୧୯ ଜାନୁୟାରୀ ମାସ ପ୍ରଥମାର୍ଦ୍ଧରେ କର୍ଡାପାଳ ଗ୍ରାମର ଜୟଚାନ୍ଦ ଧରୁଆଙ୍କ ପୁଅ କ୍ଷୀରୋଦ ଧରୁଆ ଅଧିକ ରୋଜଗାରର ପ୍ରତିଶୃତିଦେଇ ଭୁବନେଶ୍ୱରରେ କାମ କରିବାକୁ କେନ୍ଦେଇଜୁରୀ ଗ୍ରାମର ଯୋଗେଶ୍ୱର ରଣା, ବାବୁଲୁ ଶେଖ, ଅଜିତ କାଲୋ, ରାଜକୁମାର ଡୁଙ୍ଗଡୁଙ୍ଗ, ରବୀନ୍ଦ୍ର ମାଝୀ, ସୁଶାନ୍ତ ପ୍ରଧାନ, ଲମ୍ବୋଦର କିସାନ,ନରେନ୍ଦ୍ର ନାୟକ ଓ ତୁଲାରାମ ନାୟକ ଓ ୨ ଜଣ ନାବାଳକ ସମେତ ୧୧ ଜଣଙ୍କୁ ଭୁବନେଶ୍ୱର ଡାକିନେଇଥିଳା। ମାତ୍ର ସେଠାରେ ପହଂଚିବାପରେ ଦଲାଲ ଜଣକ ଏମାନଙ୍କ ଅନ୍ୟଜଣେ ଦଲଲାକୁ ହସ୍ତାନ୍ତର କରିବାପରେ ସମ୍ପୃକ୍ତ ଦଲାଲ ଜଣକ ଏହି ୧୧ ଜଣଙ୍କୁ ବିହାର ରାଜ୍ୟର ଗୟା ଜିଲ୍ଲାରେ ରେଲୱେ ସିଲପଟ୍ କାର୍ଯ୍ୟରେ ନିୟୋଜିତ କରିଥିଲା। ତେବେ ଏହି ଶ୍ରମିକମାନେ ଅସୁସ୍ଥ ହେଲେ କିମ୍ବା ଜ୍ୱର ଓ ଝାଡାବାନ୍ତି ଆଦି ରୋଗରେ ପୀଡିତ ହେଲେ ମଧ୍ୟ ସେମାନଙ୍କୁ କାର୍ଯ୍ୟରୁ ରିହାତି ଦିଆନଯାଇ ଔଷଧ ସେବନ କରି କାମ କରିବାକୁ ଶ୍ରମିକ ସର୍ଦ୍ଦାର ଦ୍ୱାରା ବାଧ୍ୟ କରାଯାଉଥିଲା।
ଏପରିକି ଏହାର ପ୍ରତିବାଦ କଲେ ସେମାନଙ୍କୁ ମାଡ ଇତ୍ୟାଦିର ଭୟ ଦେଖାଯାଇ ବିଭିନ୍ନ ବାଟରେ ନିର୍ଯ୍ୟାତନା ଦିଆଯାଉଥିଲା। ଏ ସମ୍ପର୍କରେ ଶ୍ମିକମାନେ ଫୋନଯୋଗେ ନିଜ ପରିବାର ଲୋକଙ୍କୁ ସୂଚନା ଦେବାପରେ ପାଳକୁଦର ଗ୍ରାମର ବିପିନ ଡୁଙ୍ଗଡୁଙ୍ଗ ନାମକ ଜଣେ ବ୍ୟକ୍ତି ଗତ ଜାନୁଆରୀ ୨୬ ତାରିଖ ଦିନ ଏ ସମ୍ପର୍କରେ ରିଆମାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଅଧାରରେ ରିଆମାଳ ଥାନା ପୁଲିସ ଏକ ମାମଲା ରୁଜୁ କରିବା ସହ ଏସ.ଡି.ପି.ଓ. ସୁଲେମାନ ଏକ୍କାଙ୍କ ନେତୃତ୍ୱରେ ଘଟଣାର ତଦନ୍ତ ଆରମ୍ଭ କରିଥେôଲ। ତଦନ୍ତ ସମୟରେ ସମୃକ୍ତ ଯୁବକମାନେ ବିହାର ରାଜ୍ୟର ଗୟା ଜିଲ୍ଲାରେ ନିର୍ଯ୍ୟାତିତ ହେଉଥିବା ଜଣାପଡିଥିଲା।
ଫଳରେ ରିଆମାଳ ଥାନା ତତକାଳିନ ସବଇନ୍ସପେକ୍ଟର ପବିତ୍ର ମହାରଣା ଓ ମନୋହର ପାତ୍ର ସେଠାକୁ ଗସ୍ତ କରିବାସହ ନିର୍ଯ୍ୟାତିତ ଶ୍ରମିକମାନଙ୍କୁ ଉଦ୍ଧାରକରି ଆଜି ରିଆମାଳ ଆଣିବାପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ମାତ୍ର ଅଭିଯୁକ୍ତ ଦଲାଲ କ୍ଷୀରୋଦ ଉକ୍ତ ଦିନ ଠାରୁ ଫେରାର ଥିବାରୁ ପୁଲିସ ତାକୁ ଗିରଫ କରିପାରି ନଥିଲା । ତେବେ ଗତକାଲି କ୍ଷୀରୋଦ ନିଜ ଘରେ ଥିବା ବିଶ୍ୱସ୍ଥ ସୂତ୍ରରୁ ସୂଚନା ପାଇ ରିଆମାଳ ଥାନା ଅଧିକାରୀ ପ୍ରଦୀପ କେରକେଟା ସଦଳବଳେ ଚଢାଉ କରି ତାକୁ ଆଜି ଗିରଫ କରିଥିଲେ।