ରିଆମାଳ-ନାକଟିଦେଉଳ ମଧ୍ୟରେ ସୁଗମ ଯାତାୟାତ ପାଇଁ ଅରଡେଇ ନାଳ ଉପରେ ନିର୍ମାଣ ହେବ ପୋଲ

ଦେବଗଡ଼,ଏନ୍ଏନ୍ଏସ୍: ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅଧୀନସ୍ଥ ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଅନ୍ତର୍ଗତ ନିଳଗଣ୍ଡିଆ ଓ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକର ଚନ୍ଦ୍ରପୁର ମଧ୍ୟରେ ପ୍ରତିବନ୍ଧକ ସାଜିଥିବା ଅରଡେଇ ନାଳ ଉପରେ ଏକ ପୋଲ ନିର୍ମାଣ ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଚଳିତ ଆର୍ଥିକ ବର୍ଷରେ ଏହି ପୋଲର ନିର୍ମାଣ କାର୍ଯ୍ୟ ଶେଷ କରିବା ନିମନ୍ତେ ସରକାର ଲକ୍ଷ୍ୟ ରଖିଥିବା ବେଳେ ଏନେଇ ସରକାରଙ୍କ ପକ୍ଷରୁ ୪୫୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ଅନୁମୋଦିତ ହୋଇଛି।

ଏନେଇ ଗ୍ରାମ୍ୟ ନିର୍ମାଣ ବିଭାଗ(ଆରଡବ୍ଲୁଡି)ର ଇଞ୍ଜିନିୟର ଚିଫ ଦେବଗଡ଼ ସ୍ଥିତ ଗ୍ରାମ୍ୟ ନିର୍ମାଣ ବିଭାଗ(ଆରଡବ୍ଲୁଡି)ର ଡିଭିଜନର ନିର୍ବାହୀ ଯନ୍ତ୍ରୀଙ୍କୁ ପତ୍ର ମାଧ୍ୟମରେ ସୂଚନା ଦେବାସହ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜଣାଇଛନ୍ତି। ଏହି ପୋଲ ନିର୍ମାଣ ପାଇଁ ସମ୍ବଲପୁର ଲୋକସଭା ସଦସ୍ୟ ନିତେଶ ଗଙ୍ଗଦେବ ଗତ ଫେବୃଆରୀ ୨ ତାରିଖ ଦିନ ରାଜ୍ୟ ସରକାରଙ୍କୁ ଏ ସମ୍ପର୍କରେ ଏକ ପତ୍ର ମାଧ୍ୟମରେ ଦର୍ଶାଇଥିଲେ। ସାଂସଦ ଶ୍ରୀ ଗଙ୍ଗଦେବଙ୍କ ପ୍ରସ୍ତାବିତ ପ୍ରକଳ୍ପକୁ ରାଜ୍ୟ ସରକାର ଅନୁମୋଦନ କରି ପୋଲ ନିର୍ମାଣ ପାଇଁ ନିଷ୍ପତ୍ତି ନେଇଥିବାରୁ ସାଂସଦ ଶ୍ରୀ ଗଙ୍ଗଦେବ ରାଜ୍ୟ ସରକାରଙ୍କୁ ସାଧୁବାଦ ଜଣାଇଛନ୍ତି।