ସେତୁ ନିର୍ମାଣ ଦାବୀରେ ରାସ୍ତାରୋକ

ଦେବଗଡ଼,ଏନ୍‌ଏନ୍‌ଏସ୍‌: ରିଆମାଳ ବ୍ଲକ ବୁଢ଼ାପାଳ ପଞ୍ଚାୟତ ତିଳେଇପୋଷି ଗ୍ରାମସ୍ଥିତ ଟିକିରା ନଦୀ ସେତୁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସେତୁ ନିର୍ମାଣ ଦାବୀରେ ରାସ୍ତାରୋକ ଆନ୍ଦୋଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ କମିଟିର ଲୋଚନ ଦେହୁରୀ, ରୀନା ବେହେରା ଓ ମକୁନ୍ଦ ବେହେରାଙ୍କ ସମେତ ଶତାଧିକ ପୁରୁଷ ଓ ମହିଳା ହାତରେ ପ୍ଲାକାର୍ଡ ଧରି ବୁଢ଼ାପାଳ ଛକ ଦେଇଯାଇଥିବା ୫୩ ନମ୍ବର ଜାତୀୟ ରାଜପଥ ଉପରେ ବସି ରହି ରାସ୍ତାରୋକ ଆନ୍ଦୋଳନ କରିଥିବା ଜଣାପଡ଼ିଛି । ବୁଢ଼ାପାଳ ପାୱାର ଗ୍ରୀଡ଼ଠାରୁ ତିଳେଇପୋଷି ଗ୍ରାମକୁ ରାସ୍ତା ସଂଯୋଗ ପାଇଁ ଟିକିରା ନଦୀର ଗାଡ଼ିଆପାଳ ଓ ତିଳେଇପୋଷି ଘାଟରେ ସେତୁ ନିର୍ମାଣ ଦାବୀରେ ତିଳେଇପୋଷି ଗ୍ରାମବାସୀମାନେ ବୁଢ଼ାପାଳରେ ୫୩ ନମ୍ବର ଜାତୀୟ ରାଜପଥ ଉପରେ ଧାରଣା ଦେଇଥିବା ଯୋଗୁ ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିଲା । ପରେ ଆନ୍ଦୋଳନରତ ଗ୍ରାମବାସୀଙ୍କ ସହ ରିଆମାଳ ତହସିଲଦାର ବିମଳା ବିରୁଳି ଓ କୁଣ୍ଢେଇଗୋଳା ଥାନାଧିକାରୀ ସନ୍ତୋଷ କୁମାର ସେଠୀ ଆଲୋଚନା କରି ବୁଝାସୁଝା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ଏସପି ପ୍ରମୋଦ କୁମାର ରଥ ପ୍ରକାଶ କରିଛନ୍ତି ।