ଦେଖୁଦେଖୁ ଭୁଶୁଡ଼ିଲା ପୋଲ

ତାଇୱାନ,ଏଜେନ୍ସି: ତାଇୱାନର ସମୁଦ୍ର ଉପରେ ଥିବା ଏକ ପୋଲ ଦେଖୁଦେଖୁ ଭୁଶୁଡ଼ି ପଡ଼ିଲା। ଏହି ଦୁର୍ଘଟଣାରେ ୧୦ଜଣ ଗୁରୁତର ଆହତ ହୋଇଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଲୋକ ନିଖୋଜ ଥିବା କୁହାଯାଉଛି। ଏହି ପୋଲଟି ସମ୍ପୂର୍ଣ୍ଣ ଭାବେ ସମୁଦ୍ରରେ ଲୀନ ହୋଇଯାଇଥିବା ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ ପୂର୍ବ ତାଇୱାନର ଉପକୂଳରେ ଥିବା ଏକ ବ୍ୟସ୍ତ ବହୁଳ ଅଞ୍ଚଳର ନାନଫାନଗାଓର ସମୁଦ୍ର ଉପରେ ୪୬୦ଫୁଟ ଲମ୍ବର ଏହି ପୋଲ ନିର୍ମାଣ କରାଯାଇଥିଲା। ଏହି ପୋଲଟି ବୁଧବାର ସକାଳ ସାଢ଼େ ୯ଟାରେ ଭାଙ୍ଗିଯାଇଥିଲା। ତେବେ ଏହି ସମୟରେ ଉକ୍ତ ରାସ୍ତା ଦେଇ ଯାଉଥିବା ଏକ ତେଲ ଟାଙ୍କରଟି ତଳେ ଯାଉଥିବା ଏକ ବୋଟ ଉପରେ ପଡ଼ିଯାଇଥିଲା। ତେବେ ଏହି ପୋଲ ଭୁଶୁଡ଼ିବା ଦୃଶ୍ୟଟି କ୍ୟାମେରାରେ କଏଦ ହୋଇଥିଲା।