ବଲାଙ୍ଗିର ପାଟଣାଗଡ଼ରେ ନିର୍ମାଣଧୀନ ବ୍ରିଜ ଭୁଶୁଡ଼ି ୨ ମୃତ

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିରର ପାଟଣାଗଡ଼ରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ସୁକତେଲ ନଦୀ ଉପରେ ଏକ ନିର୍ମାଣଧୀନ ବ୍ରିଜ ଭୁଶୁଡ଼ି ୨ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ବ୍ରିଜର ଗୋଟିଏ ପିଲରର ମରାମତି ହେଉଥିବା ବେଳେ ବ୍ରିଜଟି ଭୁଶୁଡ଼ି ପଡ଼ିଛି। ମୃତକମାନେ ମୋନୁସ କୁସୁଆ(୧୬) ଓ ପପୁ କୁସୁଆ (୩୮)।

ସେହିପରି ସୋନୁ କୁସୁଆଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମ ଭୋଇ ମେଡିକାଲକୁ ନିଆଯାଇଛି। ସେମାନେ ହେଲେ ମଧ୍ୟପ୍ରଦେଶର ଭେନ ଜିଲ୍ଲା ଅଟେର ଥାନା ଅଞ୍ଚଳର। ଏହି କାର୍ଯ୍ୟ ଆରଡି ଡିପାର୍ଡମେଣ୍ଟର। ଏହି କାମକୁ ବଲାଙ୍ଗିର ସହର ରେଲୱ‍େ ଷ୍ଟେସନ ନିକଟ ରାମକୁମାର ଅଗ୍ରୱ୍ବାଲ ଇଂଜିନିୟରିଂ କମ୍ପାନୀ କରୁଥିଲା। ୨୦୧୩-୧୪ ବର୍ଷରେ ୯ କୋଟି ୯୭ ଲକ୍ଷ ଟଙ୍କା ବ୍ୟୟ ଅଟକଳ ଧାର୍ଯ୍ୟ କରାଯିବା ପରେ ୨୦୧୪ ଫେବୃଆରୀ ୨୬ ତାରିଖ ଦିନ କାର୍ଯ୍ୟ ଆରମ୍ଭ ହୋଇଥିଲା। ୨୦୧୬ ଫେବୃଆରୀ ୨୫ ତାରିଖ ଦିନ କାର୍ଯ୍ୟ ଶେଷ ହୋଇଥିଲା। ସମୟ ଅବଧି ପୂର୍ବରୁ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବାରୁ ଠିକା କମ୍ପାନୀକୁ ୩୫ ଲକ୍ଷ ଟଙ୍କା ପୁରାସ୍କାର ରାଶି ପ୍ରଦାନ କରାଯାଇଥିଲା।

ମାତ୍ର ବ୍ରିଜକୁ ୪ବର୍ଷ ନ ପୁରୁଣୁ ବ୍ରିଜର ମଧ୍ୟ ଭାଗରେ ୧ ଫୁଟ ଗର୍ତ୍ତ ଶୃଷ୍ଟି ହୋଇଥିଲା। ତାକୁ ନେଇ ସ୍ଥାନୀୟ ଲୋକ ଅନେକ ଥର ଅଭିଯୋଗ କରିବା ପରେ କିଛି ମାସ ପୂର୍ବରୁ ତାର ମରାମତି କାମ ଆରମ୍ଭ ହୋଇଥିଲା। ବ୍ରିଜ ମରାମତି କାର୍ଯ୍ୟ ଚାଲିଥିବା ବେଳେ ଏଭଳି ଅଘଟଣ ଘଟିଛି। ବର୍ତ୍ତମାନ ସୁଦ୍ଧା କୌଣସି ବିଭାଗୀୟ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ନଥିବା ବେଳେ ପାଟଣାଗଡ଼ ଏସଡିପିଓ ସୁରେଶ ନାୟକ ଓ ମାଜିଷ୍ଟ୍ରେଟ ପାଟଣାଗଡ଼ ତହସିଲଦାର ପୁଷ୍ପାଞ୍ଜଳୀ ପଣ୍ଡା ଓ ଦମକବହିନୀ ରହି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଏବେ ସୁଦ୍ଧା ଜଣକର ମୃତ ଶବ ଉଦ୍ଧାର କରାଯାଇଛି ଓ ତାକୁ ପାଟଣାଗଡ଼ ପଠାଇଥିବାର ଜଣାଯାଇଛି। ଖବରପାଇ ପାଟଣାଗଡ଼ ବିଧାୟକ ସରୋଜ ମେହେର ଘଟଣାସ୍ଥଳରେ ପହଞ୍ଚିଛନ୍ତି।