ମୁମ୍ବାଇ,ଏଜେନ୍ସି: ମହାରାଷ୍ଟ୍ରର ଜାଲନା ଜିଲ୍ଲାର ଏକ ଗାଁରେ ୨ ଗୋଷ୍ଠୀ ମଧ୍ୟରେ ପଥର ଓ ଇଟାମାଡ଼ ହୋଇଛି। କୁହାଯାଉଛି ଯେ, ହିଂସାରେ ୫ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ମାତ୍ର ହିଂସାକୁ ନିୟନ୍ତ୍ରିତ କରିବା ପାଇଁ ପୋଲିସ ଫାଙ୍କା ଗୁଳି ଚାଳନା କରିବା ସହିତ ଲୁହାବୁହା ଗ୍ୟାସ୍ର ପ୍ରୟୋଗ କରିଛି। ପୁଲିସ ୨୦ରୁ ୨୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।
ଜାଲନ ଜିଲ୍ଲା ଭୋକରଦାନ ତହସିଲ ଅନ୍ତର୍ଗତ ଚନ୍ଦଇ ଗାଁରେ ଛତ୍ରପତି ଶିବାଜୀ ମହାରାଜଙ୍କ ମୂର୍ତ୍ତି ଗାଁରେ ଥିବା କମାନରେ ପ୍ରତିଷ୍ଠା କରାଯାଇଥିଲା। ସେହି କମାନର ନାମ ଗୋପୀନାଥ ମୁଣ୍ଡେ ରଖାଯିବାର ଥିଲା। କିନ୍ତୁ ଗାଁର ୨ ଗୋଷ୍ଠୀଙ୍କ ମଧ୍ୟରେ କମାନର ନାମକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ବିବାଦ ବଢ଼ିବାରୁ ପଥରମାଡ଼ ହୋଇଥିଲା।
ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ପୁଲିସକୁ ମଧ୍ୟ ଲୋକେ ଡରି ନଥିଲେ। ପୁଲିସ ଭିଡ ନିୟନ୍ତ୍ରଣ କରିବା ପାଇଁ ଫାଙ୍କା ଗୁଳି ଚାଳନା କରିଥିଲା। ପୁଲିସ ୨୦ରୁ ୨୫ ଜଣଙ୍କୁ ମଧ୍ୟ ଗିରଫ କରିଛି। ଘଟଣାସ୍ଥଳ ଉତ୍ତେଜନାପୂର୍ଣ୍ଣ ଥିବାରୁ ପୁଲିସ ବାଧ୍ୟ ହୋଇ ଲୁହବୁହା ଗ୍ୟାସ ପ୍ରୟୋଗ କରିଛି। ବ୍ୟାପକ ପୁଲିସ ମୁତୟନ ଅଛନ୍ତି। ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଇଛି।