ଅଧା ଦାମ୍‌ରେ ବ୍ରାଣ୍ଡେଡ୍ ଟିଭି

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଘିଅ, କୋଲ୍ଡଡ୍ରିଙ୍କ୍‌ସ ପରେ ଏବେ ବଜାରରେ ନକଲି ଟିଭି ବିକ୍ରି ହେଉଛି। ନାମୀଦାମୀ ବ୍ରାଣ୍ଡେଡ୍ ନାଁରେ ମାର୍କେଟ୍‌ରେ ବେପାର ଚାଲିଛି। ଲକ୍ଷେ ଟଙ୍କାର ଟିଭି ୫୦ହଜାରରେ ମିଳୁଥିବାବେଳେ ୨୦ହଜାରର ଟିଭି ୧୦ହଜାରରେ ବିକ୍ରି ହେଉଥିଲା। କମିଶନରେଟ୍ ପୁଲିସ ଭୁବନେଶ୍ୱରର ସ୍ପେଶାଲସ୍କ୍ୱାଡ୍ ଟିମ୍ ଚଢ଼ଉ ପରେ ଏଭଳି ଘଟଣାର ପର୍ଦ୍ଦାଫାସ ହୋଇଛି। ପୁଲିସ ରାଜଧାନୀର ୪ଟି ଶୋ’ରୁମ୍‌ରେ ଚଢ଼ାଉ କରି ୧୨୦ଟି ଟିଭି ଜବତ କରାଯାଇଛି।

ଏହାସହ ନକଲି ଟିଭି ରାକେଟ୍‌ରେ ସମ୍ପୃକ୍ତ ଥିବା ମୁଖ୍ୟ ମାଷ୍ଟରମାଇଣ୍ଡ ସମେତ ୪ଜଣ ବେପାରୀଙ୍କୁ ପୁଲିସ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ଲକ୍ଷ୍ମୀସାଗର ନେତାଜୀ ମାର୍କେଟ୍ କମ୍ପେ୍ଲକ୍ସରେ ଥିବା ‘ଖୁସି ଇଲେକ୍ଟ୍ରୋନିକ୍ସ’ର ମାଲିକ ଟି.ପ୍ରଭାକର ରାଓ, ବଡ଼ଗଡ଼ ଟଙ୍କପାଣି ରୋଡ୍‌ରେ ଥିବା ‘ସାଇ ଇଲେକ୍ଟ୍ରୋନିକ୍ସ’ ମାଲିକ ଶିବପ୍ରସାଦ ସାହୁ, ଏୟାରପୋର୍ଟ ଥାନା ଅନ୍ତର୍ଗତ କାର୍ଗିଲବସ୍ତି ନିକଟରେ ଥିବା ‘ଗଣପତି ଇଲେକ୍ଟ୍ରୋନିକ୍ସ୍ସ’ ମାଲିକ ମାନସ କୁମାର ଜେନା ଓ ମଞ୍ଚେଶ୍ୱର ଇଡ୍‌କୋ କଲୋନୀରେ ଥିବା ‘ୟୁନିଟେକ୍ ଇଲେକ୍ଟ୍ରୋନିକ୍ସ’ର ମାଲିକ ସାମିନ୍ ଖାଁ। ତେବେ ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ଟି. ପ୍ରଭାକର ରାଓ ମାଷ୍ଟରମାଇଣ୍ଡ ବୋଲି ଜଣାପଡ଼ିଛି।

ଏନେଇ କମିଶନରେଟ୍ ପୁଲିସର ମଞ୍ଚେଶ୍ୱର ଥାନା, ବଡ଼ଗଡ଼ ଥାନା, ଲକ୍ଷ୍ମୀସାଗର ଥାନା, ଏୟାରପୋର୍ଟ ଥାନା ପୁଲିସ ପୃଥକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ, କିଛିଦିନ ହେବ ରାଜଧାନୀରେ ବିଭିନ୍ନ ନାମୀଦାମୀ ବ୍ରାଣ୍ଡେଡ୍ କମ୍ପାନୀର ଟିଭି ଅଧା ଦାମ୍‌ରେ ବିକ୍ରି ହେଉଥିବା ପୁଲିସ ଖବର ପାଇଥିଲା। ଏହି ବେପାରୀମାନେ ବ୍ରାଣ୍ଡେଡ୍ କମ୍ପାନୀର ଲୋଗୋ ଓ ଷ୍ଟିକର ବ୍ୟବହାର କରି ମାର୍କେଟ୍‌ରେ ବିକ୍ରି କରୁଥିଲେ। ଏସମ୍ପର୍କରେ ପୁଲିସ ପ୍ରାଥମିକ ତଦନ୍ତ କରିଥିଲା। ପରେ ଭୁବନେଶ୍ୱର ଡିସିପି ଡ଼. ଉମାଶଙ୍କର ଦାଶଙ୍କ ନିର୍ଦ୍ଦେଶକ୍ରମେ ସ୍ପେଶାଲସ୍କ୍ୱାର୍ଡ ଏସିପି ସଞ୍ଜୀବ ଶତପଥୀ ଏହି ନକଲି ଟିଭି ରାକେଟ୍‌ର ପର୍ଦ୍ଦାଫାସ କରିବା ପାଇଁ ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ କରିଲେ।

ରବିବାର ରାତିରେ ପୁଲିସ ଟିମ୍ ପ୍ରଥମେ ଲକ୍ଷ୍ମୀସାଗର ନେତାଜୀ ମାର୍କେଟ୍ କମ୍ପେ୍ଲକ୍ସରେ ଥିବା ‘ଖୁସି ଇଲେକ୍ଟ୍ରୋନିକ୍ସ’ରେ ଚଢ଼ାଉ କରିଥିଲା। ସେଠାରୁ ୨୬ଟି ନକଲି ଟିଭି ଜବତ କରାଯିବା ସହ ବ୍ୟବସାୟୀ ଟି. ପ୍ରଭାକର ରାଓକୁ ଗିରଫ କରାଯାଇଥିଲା। ଏହାପରେ ତାକୁ ପଚାରିବାରୁ ସେ ଅନ୍ୟ ଟିଭି ଦୋକାନୀଙ୍କ ସମ୍ପର୍କରେ କହିଥିଲା। ପରେ ସ୍ପେଶାଲସ୍କ୍ୱାଡ୍ ଟିମ୍ ମଞ୍ଚେଶ୍ୱର, ଏୟାରପୋର୍ଟ ଓ ବଡ଼ଗଡ଼ ଅଞ୍ଚଳରେ ଚଢ଼ାଉ କରି ନକଲି ଟିଭି ଜବତ କରିବା ସହ ବେପାରୀଙ୍କୁ ଗିରଫ କରିଥିଲେ।

ସୋମବାର ସକାଳେ ସମ୍ପୃକ୍ତ ବ୍ରାଣ୍ଡେଡ୍ ଟିଭି କମ୍ପାନୀର ଟେକ୍ନିସିଆନ୍‌ଙ୍କୁ ଡିସିପି ଅଫିସ ଡକାଯାଇଥିଲା। ସେମାନେ ଟିଭି ଗୁଡ଼ିକର ଯାଞ୍ଚ କରିବା ପରେ ନକଲି ବୋଲି ସାର୍ଟିଫିକେଟ୍ ଦେଇଥିଲେ। ଏମିତିକି ସେଥିରେ ଲାଗିଥିବା ସମସ୍ତ ପାର୍ଟ୍ସ ନକଲି ବୋଲି ସେମାନେ କହିଥିଲେ। ଏହାପରେ ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।