ବିଫଳ ହେଲା ଟୋଲଗେଟ କାର୍ଯ୍ୟକ୍ଷମ ପାଇଁ ଜଲ୍ଲାପାଳଙ୍କ ବୈଠକ

ଟୋଲ ଗେଟକୁ ଉଚ୍ଛେଦ ଦାବିରେ ବ୍ରଜରାଜନଗର ବନ୍ଦ ଡାକରା

ଝାରସୁଗୁଡା, ଏନ୍ଏନ୍ଏସ୍ : ଝାରସୁଗୁଡା ଜିଲ୍ଲା ଗାନ୍ଧିଛକ ନିକଟସ୍ଥ ଏନଏଚ ୪୯ର ଗୋଲଗେଟକୁ ପୁଣି କାର୍ଯ୍ୟକ୍ଷମ କରିବା ପାଇଁ ଗୁରୁବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହୋଇଥିବା ବୈଠକକୁ ସ୍ଥାନୀୟ ଲୋକେ ଅଧାରୁ ବହିଷ୍କାର କରି ଟୋଲଗେଟର ସମ୍ପୂର୍ଣ୍ଣ ଉେଚ୍ଛେଦ ଦାବିରେ ଶୁକ୍ରବାର ୧୨ ଘଂଟିଆ ବ୍ରଜରାଜନଗର, ଗାନ୍ଧିଛକ ବନ୍ଦ ଡାକରା ଦେଇଛନ୍ତି । ଫଳରେ ଶୁକ୍ରବାର ବ୍ରଜରାଜନଗର ଓ ଗାନ୍ଧିଛକ ଅଂଚଳର ସମସ୍ତ ସରକାରୀ ଅନୁଷ୍ଠାନ, ବ୍ୟାଙ୍କ ଦୋକାନ ବଜାର ସ୍କୁଲ କଲେଜ ବନ୍ଦ କରାଯିବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ସେମାନେ ଆହୁରି ମଧ୍ୟ କହିଛନ୍ତିି ଗାନ୍ଧିଛକ ନିକଟସ୍ଥ ଟୋଲଗେଟରେ ସ୍ଥାନୀୟ ଲୋକଙ୍କଠୁ ଟ୍ୟାକ୍ସ ଆଦାୟ ନ କରିବାର ପ୍ରତିଶୃତି ଦେଇ ଜିଲ୍ଲାପାଳ ଏହାକୁ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ହେଲେ ଏହା କାର୍ଯ୍ୟକ୍ଷମ ହେବାର ୧ ମାସ ନପୂରୁଣୁ ଗତ ୨୪ ତାରିଖ ବୁଡିପଦର ନିବାସୀ ନିର୍ମଲ ସାହୁଙ୍କୁ ଟୋଲଗେଟ କର୍ମଚାରୀ ଟ୍ୟାକ୍ସ ମାଗିବାସହ ମାଡ଼ମାରିଥିଲେ ବୋଲି ଅଂଚଳବାସୀ କହିଛନ୍ତି । ଏହାସହ ଟୋଲଗେଟ ସ୍ଥାପନର କୌଣସି ମାନ ଦଣ୍ଡକୁ ଏହି ଟୋଲଗେଟ ପୂରଣ କରୁ ନାହିଁ । ପୂର୍ବରୁ ଜାତୀୟ ରାଜପଥ ପ୍ରାଧିକରଣ ନିୟମ ଅନସାରେ କୌଣସି ପୌର ସଂସ୍ଥାର ୧୦ କିଲୋମିଟର ମଧ୍ୟରେ ଥିବା ରାସ୍ତାରେ ଟୋଲ ପ୍ଲାଜା ହେଇପାରିବ ନାହିଁ ବୋଲି ୨୦୦୮ ମସିହାରେ ସରକାର ନିୟମ କରିଥିଲେ । କିନ୍ତୁ ୨୨/୮/୨୦୧୯ରେ ନିୟମ ପରିବର୍ତ୍ତନ ହୋଇ ୧୦ କି.ମି ପରିବର୍ତ୍ତେ ୫ କଲୋମିଟର ହେଲା । ନୂତନ ନିୟମ ଅନୁସାରେ ମଧ୍ୟ ବ୍ରଜରାଜନଗର ପୌର ପରିଷଦର ୨ଟି ୱାର୍ଡ଼ର ୫ କିଲୋମିଟର ପରିଧିରେ ଏହି ଟୋଲ ପ୍ଲାଜା ଆସୁଛି ବୋଲି ସେମାନେ କହିଛନ୍ତି । ସେମାନେ ଆହୁରି ମଧ୍ୟ କହିଛନ୍ତି ଏହି ଟୋଲଗେଟର ମାତ୍ର ୫୦ ମିଟର ଦୂରରେ ନୂଆଁଡ଼ିହିର ୧୨ ଶହ ପରିବାର ବସବାସ କରୁଛନ୍ତି ।

ଏହି ପରିବାରମାନେ ଏହି ଟୋଲଗେଟ ପାଇଁ ପ୍ରଦୂଷଣର ଶିକାର ହେବେ । ବେଲପାହାଡ଼ ଓ ବ୍ରଜରାଜନଗର ଅଂଚଳରୁ ହଜାର ହଜାର ଟ୍ରକ ଏହି ରାସ୍ତାରେ କୋଇଲା ପରିବହନ କରୁଛି । ତେଣୁ ଏଠାରେ ଟୋଲ ପ୍ଲାଜା ହେଲେ ମାତ୍ରାଧିକ ଟ୍ରାଫିକ ସମସ୍ୟା ହେବା ସହିତ ଦୁର୍ଘଟଣା ମଧ୍ୟ ବୃଦ୍ଧି ପାଇବାର ଆଶଙ୍କା ରହିଛି। ଏହାସହ ଟୋଲ ପ୍ଲାଜାରେ ବାଇକ ଓ ଆମ୍ବୁଲାନ୍ସ ପାଇଁ ସ୍ୱତନ୍ତ୍ର ରାସ୍ତା ରହିବା ଦରକାର କିନ୍ତୁ ନୂଆଁଡ଼ିହି ଠାରେ ନିର୍ମାଣ କରାଯାଇଥିବା ଏହି ଟୋଲ ଗେଟରେ ରାସ୍ତା ଅଣ ଓସାରିଆ ଥିବାରୁ ଏଠି ବାଇକ ଓ ଆମ୍ବଲାନ୍ସ ଯିବା ପାଇଁ କୌଣସି ସ୍ୱତନ୍ତ୍ର ଲେନ ନାହିଁ । ତେଣୁ ଏହି ମାନଦଣ୍ଡଗୁଡିକୁ ପୂରଣ କରୁନଥିବା ସତ୍ତେ୍ୱ ଏଠାରେ ଟୋଲଗେଟ ଆରମ୍ଭ ହୋଇଥିବାରୁ ଏହାକୁ ଲୋକେ ଏହାର ଉଚ୍ଛେଦ ଦାବି କରୁଛନ୍ତି ବୋଲି କହିଛନ୍ତି ।

ଅନ୍ୟପଟେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ କହିଛନ୍ତି, ଟୋଲଗେଟକୁ କାର୍ଯ୍ୟକ୍ଷମ କରିବାରେ ଅଂଚଳବାସୀ ସହଯୋଗ କଲେ ସେମାନଙ୍କ ଟୋଲଗେଟ ଜନିତ ସମସ୍ତ ସମସ୍ୟାର ସମାଧାନ କରାଯିବ । ପୂର୍ବପରି ଝାରସୁଗୁଡ଼ାର ହାଲୁକା ଯାନଗୁଡ଼ିକରୁ ଟୋଲଟ୍ୟାକ୍ସ ଆଦାୟ ନ କରିବା ସହ ଅନ୍ୟ ସମସ୍ୟାଗୁଡ଼ିକର ମଧ୍ୟ ସମାଧାନ କରାଯିବ । ହେଲେ ମଧ୍ୟ ଟୋଲଗେଟର ସମ୍ପୂର୍ଣ୍ଣ ଉଚ୍ଛେଦ ଦାବିରେ ସ୍ଥାନୀୟ ଲୋକେ ବୈଠକକୁ ବହିଷ୍କାର କରିଥିଲେ ।

ଏହି ବୈଠକରେ ଅତିରିକ୍ତ ଜିଲ୍ଲପାଳ ପ୍ରଦୀପ କୁମାର ସାହୁ, ଜିଲ୍ଲା ଆରକ୍ଷୀ ଅଧିକାରୀ ଅଶ୍ୱିନୀ କୁମାର ମହାନ୍ତି , ଉପଜିଲ୍ଲପାଳ ଶିବ ଟପ୍ପୋ, ତହସିଲଦାର ଦୀଲ୍ଲିପ କୁମାର ପ୍ରଧାନ, ଏସଡିପିଓ କୈଳାସ ଆଚାର୍ଯ୍ୟ, ବ୍ରଜରାନଗର ଆଇଆଇସି ବିଶ୍ୱାମିତ୍ର ହରପାଲ ଅନ୍ୟ ବିଭାଗୀୟ ଅଧିକାରୀ, ରାଧେଶ୍ୟାମ ପ୍ରଧାନ, ପ୍ରକାଶ ସାହୁ, ନିର୍ମଲ ସାହୁ, ସୁନିଲ ଭୋଇ, ଜୟନ୍ତ ଦିକ୍ଷିତ, ପ୍ରମୋଦ ପଟେଲ, ଦେବ ଦାସ ପ୍ରମୂଖଙ୍କ ସହ ଗାନ୍ଧିଛକ, ରାଜପୁର, ନୂଆଁଡିହି, ଗଣ୍ଡଘୁରା, ବ୍ରଜରାଜନଗର, ବୁଡିପଦର ଓ ଆଖ ପାଖ ଗ୍ରାମର ଲୋକେ ଉପସ୍ଥିତ ଥିଲେ।

ପ୍ରକାଶ ଯୋଗ୍ୟ ଯେ, ଅଂଚଳବାସୀଙ୍କ ବିରୋଧ ସତ୍ୱେ ଗତ ସେପ୍ଟେମ୍ବର ମାସ ୨୪ ତାରିଖରୁ ଏଠାରେ ଟୋଲ ଟ୍ୟାକ୍ସ ଆଦାୟ ଆରମ୍ଭ ହେବାର ଗୋଟିଏ ମାସ ପରେ ଟୋଲଗେଟ କର୍ମଚାରୀ ସ୍ଥାନୀୟ ନିର୍ମଳ ସାହୁଙ୍କୁ ଟ୍ୟାକ୍ସ ଆଦାୟ ପାଇଁ ମାଡ଼ ମାରିବାପରେ ଅକ୍ଟୋବର ୨୫ ତାରିଖରେ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଏହାକୁ ବନ୍ଦ କରାଯାଇଥିଲା ।