ବ୍ରାହ୍ମଣୀଗାଁ’କୁ ନିଷିଦ୍ଧାଞ୍ଚଳ ଓ ୬ଟି ଗ୍ରାମକୁ ବଫର ଜୋନ ଘୋଷଣା

ବ୍ରାହ୍ମଣୀଗାଁ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲାର ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରୁ ୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନର ପକ୍ଷରୁ ବ୍ରାହ୍ମଣୀଗାଁକୁ ନିଷିଦ୍ଧାଞ୍ଚଳ ଓ ଅଞ୍ଚଳର ୬ ଟି ଗ୍ରାମକୁ ବଫର ଜୋନ ଘୋଷଣା କରିଥିବା ଜଣାପଡ଼ିଛି। ସେହିପରି ୬ଟି ଗ୍ରାମରେ କିରାମାହା, ବାସୁଦେବପୁର, ପାର୍ବତୀପଡ଼ା, ଡାଙ୍ଗେସୀ, ଅଲାଞ୍ଜୁରୀ ଓ ପୁଇଗୁଡ଼ା ଥିବା ଜଣାପଡ଼ିଛି।

ଦାରିଙ୍ଗବାଡ଼ି ବିଡିଓ ହଳଧର ନାୟକ, ଅତିରିକ୍ତ ତହସିଲଦାର ନରେନ୍ଦ୍ର ମଲ୍ଲିକ, ଆରଆଇ ବିପିନ କୁମାର ଭୂୟାଁ, ଥାନା ଅଧିକାରୀ ରଞ୍ଜିତ କୁମାର ମୁନୀ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଟାଇଟସ ନାଏକ, ସରପଞ୍ଚ ରମେଶ ମାଝୀଙ୍କ ଉପସ୍ଥିତିରେ ଆଜି ବ୍ରାହ୍ମଣୀ ଗାଁର ପ୍ରତ୍ୟେକ ସାହି ଓ ଗଳିର ପ୍ରବେଶ ପଥଗୁଡିକୁ ସିଲ କରାଯାଇଛି।

ଅତି ଜରୁରୀ ସେବା ଛଡ଼ା ସମସ୍ତ ଦୋକାନ ବଜାର ବନ୍ଧ ରଖିବା ସହ ନିଷିଦ୍ଧାଞ୍ଚଳରୁ କେହି ବାହରକୁ ନଯିବାକୁ ଏବଂ ବାହାରୁ କେହି ଭିତରକୁ ପ୍ରବେଶ ନ କରିବା ପାଇଁ ଜିଲ୍ଲା ପ୍ରଶାସନଙ୍କୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି। ଏନେଇ ପଞ୍ଚାୟତ ପ୍ରଶାସନ ପକ୍ଷରୁ ମାଇକ ଯୋଗେ ସମସ୍ତ ଅଞ୍ଚଳ ବୁଲି ଘୋଷଣା କରାଯାଇଛି। ଆଗାମୀ ଆଦେଶ ନଆସିବା ପର୍ଯ୍ୟନ୍ତ ନିଷିଦ୍ଧାଞ୍ଚଳର କଟକଣା ବଳବତ୍ତର ରହିବ ବୋଲି ବିଡିଓ ଶ୍ରୀ ନାୟକ କହିଛନ୍ତି।